ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ବର, ‘ଯାତ୍ରୀବାହୀ ଟ୍ରେନ୍‌ ତୁରନ୍ତ ଚଲାଅ’

କେନ୍ଦ୍ରାପଡ଼ା: ବହୁପ୍ରତୀକ୍ଷିତ ହରିଦାସପୁର–ପାରାଦୀପ ମଧ୍ୟରେ ମାଲବାହୀ ଟ୍ରେନ୍‌ ଚଳାଚଳକୁ ଗୋଟିଏ ବର୍ଷ ପୂରିବାକୁ ବସିଲାଣି। ହେଲେ ଏଯାଏ ଗଡ଼ିଲାନି ଯାତ୍ରୀବାହୀ ଟ୍ରେନ୍‌। ଏହାକୁ ନେଇ କେନ୍ଦ୍ରାପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ତୁରନ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରିଛନ୍ତି ବରିଷ୍ଠ କ˚ଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା। ଶ୍ରୀ ବେହେରା ଚିଠିରେ ଲେଖିଛନ୍ତି ଯେ ସ୍ବାଧୀନତାର ସାତ ଦଶନ୍ଧି ପରେ କେନ୍ଦ୍ରାପଡ଼ାବାସୀଙ୍କ ରେଳ ସ୍ବପ୍ନ ସାକାର ହୋଇଥିଲା। ଆଶା କରାଯାଉଥିଲା କି’ ମାଲବାହୀ ପରେ ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ। ଜିଲ୍ଳାବାସୀ ବାରମ୍ବାର ଦାବି କରିବା ସହିତ ଆନ୍ଦୋଳନ ବି କରିଛନ୍ତି। ହେଲେ ଇତିମଧ୍ୟରେ ମାଲବାହୀ ଟ୍ରେନ୍‌ ଚଳାଚଳକୁ ଗୋଟିଏ ବର୍ଷ ଅତିକ୍ରାନ୍ତ କରିବାକୁ ବସିଥିବା ବେଳେ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବା ସ˚ପର୍କରେ କୌଣସି ପଦକ୍ଷେପ ନିଆନଯିବା ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି। ୨୦୨୦, ସେପ୍ଟେମ୍ବର୨୩ତାରିଖରୁ ମାଲବାହୀ ଟ୍ରେନ୍‌ ହରିଦାସପୁର–ପାରାଦୀପ ମଧୢରେ ଚଳାଚଳ ଆରମ୍ଭ କରିଥିଲା। ସେତେବେଳେ ଯାତ୍ରୀ ବାହୀ ଟ୍ରେନ୍‌ ଚଳାଚଳକୁ ନେଇ ଲୋକମାନେ ଆନ୍ଦୋଳନ କରିବା ସହିତ ରେଳରୋକ କରିଥିଲେ। ରେଳବାଇ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ଯେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାମଧୢରେ ୯ଟି ଷ୍ଟେସନ୍‌ କାମ ସରିବା ସହିତ ଯାତ୍ରୀବାହୀ ଟ୍ରେନ୍‌ ପରୀକ୍ଷାମୂଳକ ଭାବେ ଚାଲି ସାରିଲାଣି।

ଏଚ୍‌ଆରପିସିଏସ୍‌ ମଧୢ ଏନ୍‌ଓସି ଦେଇ ସାରିଲାଣି। ଏହାସତ୍ତ୍ବେ କାହିଁକି ଟ୍ରେନ୍‌ ଚାଲିବାରେ ବିଳମ୍ବ ହେଉଛି, ତାହା ବୁଝାପଡ଼ୁନାହିଁ ବୋଲି ଶ୍ରୀ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି। ଟ୍ରେନ୍‌ ଚାଲିଲେ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ଥିବା କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ସମେତ ବ୍ୟବସାୟୀ ମାନେ ବିଶେଷ ଭାବେ ଉପକୃତ ହେଇପାରିବେ। ଏଣୁ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ଗୋଟିଏ ଟ୍ରେନ୍‌ କଟକରୁ ପାରାଦୀପ ଭାୟା ହରିଦାସପୁର ଏବ˚ ଅନ୍ୟଟି ଭଦ୍ରକରୁ ପାରାଦୀପ ଭାୟା ହରିଦାସପୁର ଦେଇ ଚଳାଚଳ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରେଳମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି।
ଉଲ୍ଲେଖଥାଉକି’ ବହୁ ପ୍ରତୀକ୍ଷିତ ହରିଦାସପୁର–ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଶ୍ରେୟ ନେବା ପାଇଁ ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କ˚ଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ନେଇ ଆନ୍ଦୋଳନ ବି ହୋଇଥିଲା। ମାତ୍ର ଏବେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଅଶ୍ବିନୀ ବୈଷ୍ଣବ କେନ୍ଦ୍ରରେ ରେଳମନ୍ତ୍ରୀ ହେଇ ସାରିଥିବାରୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ଜିଲ୍ଳାବାସୀ ଯେଉଁ ଦାବି କରି ଆସୁଛନ୍ତି, ତାହା ପୂରଣ ହେବାକୁ ଆଉ କେତେ ଦିନ ଲାଗିବ, ତାରି ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର