ବିଦ୍ୟୁତ ସାମଗ୍ରୀ ଓ ଅଷ୍ଟଧାତୁ ଚୋର ଗ୍ୟାଙ୍ଗ୍‌ ଠାବ, ୫୦ଲକ୍ଷର ସାମଗ୍ରୀ ସହ ୬ ଅନ୍ତଃରାଜ୍ୟ ଚୋର ଗିରଫ

ମାର୍ଶାଘାଇ: ବିଦ୍ୟୁତ୍ ସାମଗ୍ରୀ ଓ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ମାର୍ଶାଘାଇ ଥାନା ପୁଲିସ ୬ଜଣ ଅନ୍ତଃଜିଲ୍ଳା ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା କୁଣ୍ଢପାଟଣା ଗ୍ରାମର ନାରାୟଣ ସାହୁ(୨୯), କଟକ ଜିଲ୍ଲା କିଶନନଗର ଥାନା ମହମ୍ମଦପୁରର ସିମ୍ପା ଓରଫ ଜୟପ୍ରକାଶ ବେହେରା (୨୩), ଟାଙ୍ଗି ଥାନା ଭଟ୍ଟିମୁଣ୍ତା ଗ୍ରାମର ହେମନ୍ତ ନାୟକ(୫୪), ଅନୀଲ ସାହୁ(୩୩), ନେମାଳ ଥାନା ଅର୍ନ୍ତଗତ ବାଇନପଡ଼ା ଗ୍ରାମର ସୋନୁ ଓରଫ ବେବେନ୍ଦ୍ର ନାୟକ(୨୧) ଓ ଛପଚିକ୍କଣ ଗ୍ରାମର କୁନା ଓରଫ ସଂଗ୍ରାମ ରାଉତ(୨୫)।
ପୁଲିସ ସୂଚନା ମୁତାବକ, ଗତ ୨୦ ଓ ୨୧ ତାରିଖ ମଧ୍ୟରାତିରେ ଅଭିଯୁକ୍ତମାନେ ଟିପିସିଓଡିଏଲ୍ ଅର୍ନ୍ତଗତ ଲୁଣା ଇଲେକ୍ଟ୍ରିକାଲ୍‌ ସେକ୍ସନ୍‌କୁ ଏକ କାର୍‌ ଯୋଗେ ଆସିଥିଲେ। ସେମାନଙ୍କ ପାଖରେ ପିକ୍‌-ଅପ୍ ଭ୍ୟାନ ଓ ଟାଟା ଏସିଇ ମଧ୍ୟ ଥିଲା। ଆଲୁମିନିୟ ତାର, ତମ୍ବା ତାର ସହ ଅନ୍ୟାନ୍ୟ ଜିନିଷ ଡକାୟତି କରିବାକୁ ଚୋରମାନେ ଆସିଥିଲେ। ହାତରେ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ସେକ୍ସନ୍‌ରେ ମୃତୟନ ଥିବା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସେକ୍ସନ୍‌ରେ ଥିବା ଆଲୁମିନିୟମ୍‌ ଓ ତମ୍ବା ତାରକୁ ଓଜନ କରି ଗାଡିରେ ଭର୍ତ୍ତି କରି ହେମନ୍ତ ନାୟକକୁ ୭୦ହଜାର ଟଙ୍କାରେ ବିକ୍ରୟ କରି ବିକ୍ରିଲବ୍ଧ ଅର୍ଥକୁ ବାଣ୍ଟି ନେଇଥିଲେ। ଏ ନେଇ ଗତ ୨୧ତାରିଖ ଦିନ ଲୁଣା ଷ୍ଟ୍ରକଚର୍‌ କଂଟ୍ରୋଲ ରୁମ୍ ଅପରେଟର୍‌ ସୁଧାଂଶୁ ଶେଖର ଦାସଙ୍କ ପକ୍ଷରୁ ମାଶାର୍ଘାଇ ଥାନାରେ ଅଭିଯୋଗ ହେବା ପରେ ମାର୍ଶାଘାଇ ଥାନା ପୁଲିସ କେସ୍‌ (ନଂ-୩୫/୨୩) ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଥିଲା।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ମାର୍ଶାଘାଇ ଆଇଆଇସି ଜ୍ୟୋତିରଞନ ସାମନ୍ତରାୟ, ପାଟକୁରା ଆଇଆଇସି ସରୋଜ ସାହୁ, ଏସ୍‌ଆଇ ବି.କେ ଖଟୁଆ, କୁଦାନଗରୀ ଓଆଇସି ଦେବାଶିଷ ପଣ୍ତା ଓ କେନ୍ଦ୍ରାପଡାର ସ୍ପେସାଲ୍‌ ସ୍କାଡ୍‌କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ଅଷ୍ଟଧାତୁର ୯ଟି ମୂର୍ତ୍ତି, ୪ ଚକିଆ, ୨ଚକିଆ ଯାନ ଓ ଆଲୁମିନିୟମ୍‌ ଆଦି ସମଗ୍ରୀ ଜବତ କରିଛି। ଆଜି କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାର୍ଶାଘାଇ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କଠାରୁ ୫ହଜାର ୧୧୦ କିଲୋଗ୍ରାମ୍‌ ଆଲୁମିନିୟମ ସାମଗ୍ରୀ, ଏକ ପିକଅପ୍‌ ଭ୍ୟାନ୍ (ଓଡି ୦୫-ବିଏଏଫ୍-୪୨୭୪) ଏକ ଟାଟା ଏସିଇ (ଓଡି-୦୫ଏୟୁ-୧୮୬୫), ପିକ୍‌-ଅପ୍‌ ହଣ୍ତା ଅମାଜେ (ଓଡି ୦୨-ଏଏଫ୍-୧୯୯୯)ଏକ ଟିଭିଏସ୍‌ଆପାଚି (ଓଡି-୨୯ଏଫ୍-୦୫୩୨), ନମ୍ବର୍‌ ପ୍ଲେଟ୍ ନଥିବା ଏକ ବଜାଜ ଡିସକଭର୍‌, ଏକ ୟାମାହା (ଓଡି-୦୫ ବିଏ-୪୭୯୩ ), ତାର କାଟିବା ମେସିନ୍, ଓଜନ ମେସିନ୍ ଓ ୯ ଗୋଟି ମୂର୍ତ୍ତି ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ନାମରେ କେନ୍ଦ୍ରାପଡା ଟାଉନ୍‌ ଥାନା, ଡେରାବିଶ, ନିକିରାଇ, ଭୁବନେଶ୍ବର ଓ କଟକର ଭଦ୍ରେଶ୍ବର ଆଦି ଥାନାରେ ମାମଲା ରହିଛି।

ସମ୍ବନ୍ଧିତ ଖବର