ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଗଙ୍ଗେଇ ଡ଼ୁବୁରୀ କଳାପଥର ପାହାଡ଼ରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ୩ ଜଣିଆ ଟିମ

ଚଢେଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜାରେ ଥିବା ଗଙ୍ଗେଇ ଡ଼ୁବୁରୀ କଳାପଥର ପାହାଡ଼ରେ ଜିଲ୍ଲା ପ୍ରଶାସନର ଏକ ୩ ଜଣିଆ ଟିମ ପହଞ୍ଚି ସୈରତ ଠାରୁ ନିକଟସ୍ଥ ଜନବସତିର ଦୂରତା ବିଷୟରେ ତଦନ୍ତ କରିଛନ୍ତି।

ସୂଚନା ଅନୁସାରେ, ଚଢ଼େଇଧରା ଗ୍ରାମର ଦିଲ୍ଲୀପ କୁମାର ବିଶ୍ୱାଳ ଏହି କଳାପଥର ପାହାଡ଼ରେ ବ୍ଳାଷ୍ଟିଙ୍ଗ ଯୋଗୁଁ ବାସଗୃହ କ୍ଷତି ଗ୍ରସ୍ତ ହେବା ଓ ନୂତନ ଭାବେ ନିର୍ମିତ ଘରେ ଫାଟ ସୃଷ୍ଟି ହେବା, ପରିବେଶ ପ୍ରଦୂଷଣ ହେବା ଓ ବେଆଇନ ଭାବେ ଅତ୍ୟଧିକ ଖନନ ଦ୍ୱାରା ସରକାର ରାଜସ୍ୱ ହରାଉଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ l ଗତ ଅକ୍ଟୋବର ୧୦ତାରିଖରେ ହାଇକୋର୍ଟ ମାମଲାର ବିଚାର କରି ୬ ସପ୍ତାହ ମଧ୍ୟରେ ବେଆଇନ ଖନନ ଓ ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ l

ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରମୋଦ ବେହେରା ଓ ଜିଓଲଜିଷ୍ଟ ସନ୍ତୋଷୀ ସେଠିଙ୍କୁ ନେଇ ଗଠିତ ଟିମ ସୈରତ ଗସ୍ତ କରିଛନ୍ତି l ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି l

 

ସମ୍ବନ୍ଧିତ ଖବର