ଚାକିରି ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ, ୨ ଫେରାର

ଝାରସୁଗୁଡ଼ା: ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଚାକିରି କରାଇଦେବା ବାହାନାରେ ଡାକିନେଇ ତାଙ୍କୁ ଗଣଦୁଷ୍କର୍ମ କରାଯିବା ଭଳି ଏକ ଘଟଣା ଝାରସୁଗୁଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଅଟକ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଫେରାର ହୋଇଯାଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜାଣିବାକୁ ମିଳିଛି।

ଘଟଣା ସଂପର୍କରେ ସୂଚନା ଦେଇ ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ କହିଛନ୍ତି, ବୁଧବାର ବିଳମ୍ବିତ ରାତ୍ରରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଏକ ପରିତ୍ୟକ୍ତ ଘର ଭିତରେ ଏହି ଯୁବତୀକୁ ଚାକିରି ଦେବା ବାହାନାରେ ଡାକିନେଇ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ତେବେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ପୁଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଘଟଣାସ୍ଥଳରେ ପୁଲିସକୁ ଦେଖି ଅଭିଯୁକ୍ତ ଦୀପୁ ଓରଫ ଦୀପକ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫେରାର ଅଭିଯୁକ୍ତ ଦୀପକର ଘର ବ୍ରହ୍ମପୁର ବୋଲି ପୁଲିସ ସନ୍ଦେହ କରୁଛି। ତେବେ ସେହି ଘର ଭିତରେ ଯୁବତୀ ସହିତ ଥିବା ଅନ୍ୟ ଦୁଇଜଣ ଯୁବକ ଲଇକେରା ଅଞ୍ଚଳର ବିକାଶ ପଟେଲ ଓ ଅନିଲ ମାକର ବୋଲି ପୁଲିସ କହିଛି ଏବଂ ସେମାନଙ୍କୁ ଅଟକ ରଖିଛି। ପୀଡ଼ିତାଙ୍କ ସହ ପୁଲିସ ଅଟକ ରଖିଥିବା ଅଭିଯୁକ୍ତ ଯୁବକମାନଙ୍କୁ ଝାରସୁଗୁଡ଼ା ଥାନାକୁ ଆଣିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ଖବରରୁ ଜାଣିବାକୁ ମିଳିଛି ସୋନପୁର ଅଞ୍ଚଳର ଏହି ଯୁବତୀ ଦୀର୍ଘ ଦିନ ହେଲା ଝାରସୁଗୁଡ଼ା ଠାରେ ରହୁଥିବା ତା’ର ଜଣେ ବଡ଼ ଭଉଣୀଙ୍କ ନିକଟରେ ଅବସ୍ଥାନ କରିବା ସହ ଚାକିରି ସନ୍ଧାନରେ କରୁଥିଲେ। ବୁଧବାର ଦିନ ତାଙ୍କ ବଡ଼ ଭଉଣୀ ଯୁବତୀ ଜଣକୁ ଚାକରି ଉଦ୍ଦେଶ୍ୟରେ ସଂପୃକ୍ତ ଯୁବକମାନଙ୍କ ସହିତ ଯିବାପାଇଁ କଥାବାର୍ତ୍ତା କରିବା ପାଇଁ ପଠାଇଥିଲେ। ତେବେ ଯୁବକମାନେ ସଂପୃକ୍ତ ଯୁବତୀଙ୍କୁ ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ଯୁବକମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ପୀଡ଼ିତାଙ୍କ ବଡ଼ଭଉଣୀ ସବୁ କଥା ଜାଣିଶୁଣି ତାଙ୍କୁ ଅଭିଯୁକ୍ତମାନଙ୍କ ସହିତ ପଠାଇ ଥିବା ପୁଲିସ ତଦନ୍ତ କାଳରେ ଜାଣିବାକୁ ପାଇଛି।

ଏହି ଘଟଣା ପରେ ଗିରଫ ହେବା ଭୟରେ ବଡ଼ଭଉଣୀ ଫେରାର ହୋଇଯାଇଥିବା ପୁଲିସ କହିଛି। ଏହି ଘଟଣାରେ ସଂପୃକ୍ତ ଥିବା ଯୁବକମାନଙ୍କର ରାଜନୈତିକ ସଂପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଥିବାରୁ ଏହି ଘଟଣା ଆଗାମୀ ଦିନରେ ଭିନ୍ନ ମୋଡ଼ ନେବାର ସମ୍ଭାବନା ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର