କନ୍ଧମାଳରେ ଗଂଜେଇ ଚାଷ ନିର୍ମୂଳ ଅଭିଯାନ ଆରମ୍ଭ

୧୩୫ ଏକରରୁ ୧.୩୫ କୋଟି ମୂଲ୍ୟର ଗଛ କଟାଗଲା ଚାଷୀ ଓ ମାଫିଆଙ୍କ ଅଶା ଚୁରମାର

ଫୁଲବାଣୀ: ଆଜିଠାରୁ କନ୍ଧମାଳରେ ଗଂଜେଇ ଚାଷ ନିର୍ମୂଳ ଅଭିଯାନ ଆରମ୍ଭ ହୋଇଛି। ଗୋଛାପଡା ଥାନା ଅଞ୍ଚଳରେ ଅଭିଯାନର ପ୍ରଥମ ଦିନରେ ୧୩୫ ଏକର ଜାଗାରୁ ଗଂଜେଇ ଗଛ କଟା ଯାଇ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୧ କୋଟି ୩୫ ଲକ୍ଷ ଟଙ୍କା ହେବ। ସଲାଗୁଡା ପଞ୍ଚାୟତ ନେଡିପଦର,କୁମ୍ଭାରଖୋଲ,ଗାଦିପଦର ଓ ପତ୍ତିନାଲା ଅଞ୍ଚଳରେ ହୋଇଥିବା ଗଂଜେଇ ଚାଷ ଜମିରେ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଗଛ କଟାଯାଇଥିଲା ତାପରେ କଟା ଗଛକୁ କିରାସିନ ଢାଲି ପୋଡି ନଷ୍ଟ କରାଯାଇଥିଲା। ସକାଳ ସାଢେ ୮ଟାରୁ ଅପରାହ୍ ସାଢେ ୩ଟା ପର୍ଯ୍ୟନ୍ତ ଗଂଜେଇ ଚାଷ ନିର୍ମୂଳ ଅଭିଯାନ ଚାଲିଥିଲା।

ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ,ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ,ଅବକାରୀ ସବ ଇନସପେକ୍ଟର ଥାଇଲା ଓରାମଙ୍କ ନେତୃତ୍ବରେ ଗଂଜେଇ ଗଛ କଟା ଅଭିଯାନ ହୋଇଥିବା ବେଳେ ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଶ୍ରମିକ ନିୟୋଜିତ ହୋଇଥିଲେ। ପ୍ରତିବର୍ଷ ଏହି ସମୟରୁ ଗଂଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇ ପ୍ରାୟତଃ ୩ ମାସ ପର୍ଯ୍ୟନ୍ତ ଚାଲେ। ହଜାର ହଜାର ହେକ୍ଟର ଜମିରୁ ଗଂଜେଇ ଗଛ କଟା ଯାଇ ନଷ୍ଟ କରାଯାଏ। ତା ସତ୍ତ୍ବେ ଗଂଜେଇ ଚାଷ କମିବା ବଦଳରେ ବଢି ଚାଲିଛି। ଗତ ୨୦୧୭ରେ ଜିଲ୍ଲାର ୨ହଜାର ୭୦୦ ଏକର,୨୦୧୮ରେ ୪ହଜାର ୭୦୮ ଏକର ଚାଷ ଜମିରୁ ଗଂଜେଇ ଗଛ କଟା ଯାଇଥିଲା।

ଗତବର୍ଷ ୭ହଜାର ୮୦୦ ଏକର ଚାଷ ଜମିରୁ ଗଂଜେଇ ଗଛ ବି କଟାଯାଇଛି। ଚଳିତ ବର୍ଷ ପାଖାପାଖି ୮ହଜାର ଏକର ଚାଷ ଜମିରୁ ଗଂଜେଇ କଛ କଟା ଯିବାର ଲକ୍ଷ୍ୟ ରହିଛି। ଗଂଜେଇ ଗଛ କଟା ଅଧିକ ହେଉ ନଥିବା ବେଳେ ଗଂଜେଇ ଚାଷ କମିବା ବଦଳରେ ବଢିବା ପୁଲିସ ଓ ଅବକାରୀ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଗଂଜେଇ ଗଛ କଟା ଅଭିଯାନ ଜାରି ରହିବ। ଆଉ କନ୍ଧମାଳରୁ ଗଂଜେଇ ଚାଷ ସମ୍ପୂର୍ଣ୍ଣ ନିମୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ବିନୀତ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର