ନବରଂଗପୁରରୁ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬ ଯୁବକ ଛତିଶଗଡ଼ରେ ଗିରଫ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବେହେରାମୁଣ୍ଡା ଗ୍ରାମର ୫ ଜଣ ଯୁବକ ସହ ଗାଡି ଡ୍ରାଇଭର ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ସୂଚନାଅନୁଯାୟୀ, ଆଜି ଭୋର ସକାଳୁ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବେହେରାମୁଣ୍ଡା ଗ୍ରାମର ଶଙ୍କର ସୋରୀ(୧୯), ଭରତ ସୋରୀ(୨୦), ସୟଦ ମହମ୍ମଦ ସୋହେବ ଓରଫ ସୋବୀ(୨୧), ସମିମ ଖାନ(୧୯), ଛୋଟୁ ଖାନ(୨୮), ନବୀନ ସାହୁ(୩୦), (ଡ୍ରାଇଭର) ନାମକ ୬ ଜଣ ଯୁବକ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଗମ୍ଭାରୀଗୁଡା ଗ୍ରାମର ଏର୍ଟିକା ଗାଡି ଓଡି ୦୨/ବିଭି ୨୦୭୭ ର ଡ୍ରାଇଭର ନବୀନ ସାହୁଙ୍କ ସହ ଏକ ବ୍ୟାଗରେ ୧୩ କେଜି ଗଞ୍ଜେଇ ନେଇ ଛତିଶଗଡ଼ ରାଜଧାନୀ ରାୟପୁର ଅଭିମୁଖେ ଯାଉଥିବା ସମୟରେ ଗରିଆବନ୍ଧ ଚେକଗେଟ ଠାରେ ପୁଲିସ ଯାଞ୍ଚ ସମୟରେ ଧରାପଡିଥିଲେ। ଗରିଆବନ୍ଧ ଥାନାରେ ସମସ୍ତ ୬ ଜଣଙ୍କ ନାମରେ ଏନଡିପିଏସ ମାମଲା ରୁଜୁ କରିବା ସହ ଗଞ୍ଜେଇ ବୋଝେଇ ଏର୍ଟିକା ଗାଡିକୁ ଜବତ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଗରିଆବନ୍ଧ ଥାନା ଅଧିକାରୀ ଜୋଅର ଠାକୁର ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଚନ୍ଦାହାଣ୍ଡି ବ୍ଲକରେ ଦିର୍ଘଦିନ ହେବ ଗଞ୍ଜେଇ କାରବାର ବଢୁଥିବା ସହ ବିଭିନ୍ନ ଚା’ ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଥିବା ନେଇ କିଛିଦିନ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେବେ ଚନ୍ଦାହାଣ୍ଡି ପୁଲିସ ଖବର ପ୍ରକାଶ ପାଇବା ପରେ ହେଁ ହାତକୁ ହାତ ବାନ୍ଧି ବସିଥିବା ବେଳେ ସୀମାନ୍ତରେ ଏହି ଅନୈତିକ ଗଞ୍ଜେଇ କାରବାର ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ଚନ୍ଦାହାଣ୍ଡିରୁ ବହୁ ନାମିଦାମୀ ଯୁବକ ଏହି କାରବାରରେ ଲିପ୍ତ ଥିବାବେଳେ ପୁଲିସର ନିଷ୍କ୍ରିୟତା ପରୋକ୍ଷରେ ଗଞ୍ଜେଇ ବ୍ୟବସାୟୀଙ୍କୁ ସୁହାଉଥିବା ଭଳି ମନେ ହେଉଛି। ଏହି ଚଢ଼ାଉରେ ଗରିଆବନ୍ଧ ଥାନା ଅଧିକାରୀ ସତେନ୍ଦ୍ର ସିଂହ, ଶ୍ୟାମ ସଉନୀ, ପ୍ରହ୍ଲାଦ ଠାକୁର, ଡିକେଶ୍ବର ସାହୁ, ମୁରାରୀ ଯାଦବ, ସୁଖସାଗର ନାଗ, ରୋହିତ ସାହୁ ପ୍ରମୁଖ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୧, ୩୦, ୦୦୦ ହୋଇ ଥିବାବେଳେ ୫ ଟି ମୋବାଇଲ ଫୋନ ମୂଲ୍ୟ ୫୦ ହଜାର ଓ ଜବତ ଗାଡିର ମୂଲ୍ୟ ୧୦ ଲକ୍ଷ। ଏହି ଭଳି ମୋଟ୍‌ ୧୧ ଲକ୍ଷ ୮୦ ହଜାର ଥିବା ପୁଲିସ ପକ୍ଷରୁ ସୂଚନା ରହିଛି।

ସମ୍ବନ୍ଧିତ ଖବର