ପୁଣି ବଢିବ କି ଗଞ୍ଜେଇ ଚୋରା ଚାଲାଣ? କୋର କମିଟି ସଦସ୍ୟଙ୍କୁ ଥାନାରୁ ହଟାଇବାକୁ ମସୁଧା

କୋରାପୁଟ: ବାର ବର୍ଷର ତପସ୍ୟ ଶୁଖୁଆ ପୋଡାରେ ଯିବ। ଦୁଇବର୍ଷ ଧରି ଗଞ୍ଜ‌େଇ ଚୋରା ଚାଲାଣରେ ଲାଗିଥିବା ରୋକ ପୁଣି ଥରେ ଜୋର ସୋରରେ ଚାଲିବା ଆଶା କରାଯାଉଛି। ଚାପ ଏପରି ପଡୁଛି ଯେ ତ୍ରାହିତ୍ରାହି ଡାକିଲେଣି କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀ। ଗଞ୍ଜେଇ ଚୋରା ଚାଲାଣକୁ ରୋକିବାକୁ କୋରାପୁଟ ଜିଲ୍ଲାରେ ରହିଥିବା କୋର କମିଟି ସଦସ୍ୟଙ୍କୁ ହଟାଇବାକୁ ହୋଇଛି ଗୁରୁତ୍ବର ଯୋଜନା। ଜିଲ୍ଲା ପୁଲିସ ମୁଖିଆଙ୍କ ଉପରେ ତୃତୀୟ ମହଲାରୁ ଏପରି ଚାପ ପଡୁଛି ଯେ ମୁଖିଆ ହାତ ଟେକି ଦେଇଛନ୍ତି। କୌଣସି ଭୁଲ ଭଟକାକୁ ମଧ୍ୟ ପ୍ରସୟ ଦେଉ ନାହାଁନ୍ତି ଜିଲ୍ଲା ମୁଖିଆ। କୋରାପୁଟ ଜିଲ୍ଲାରେ ଏନେଇ କଥା ତୃତୀୟ ମହଲା ପହଞ୍ଚିଥିବାବେଳେ ଗଞ୍ଜେଇ ମାଫିଆଙ୍କ ସୁଆଙ୍ଗ ବୃଦ୍ଧି ପାଇବା ଆଶା କରାଯାଉଛି।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲାରେ ଗଞ୍ଜ‌େଇ ଚୋରା ଚାଲାଣକୁ ରୋକିବାକୁ ତତ୍କାଳନୀନ ଏସ୍‌ପି କନୱର ବିଶାଲ ସିଂହ ‘ଅପରେସନ ଗ୍ରିନ୍‌ କ୍ଲିନ୍‌’ ଯୋଜନା କରିଥିଲେ। ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରିଗୁଡା, ନନ୍ଦପୁର, ଲମତାପୁଟ, ପଟ୍ଟାଙ୍ଗୀ, ସୁନାବେଢା, ଜୟପୁର ସଦର ଓ ସେମିଳଗୁଡା ପରି ଏକାଧିକ ଥାନା ଆଇଆଇସିଙ୍କୁ ନେଇ ଗଠିତ ହୋଇଛି କୋର କମିଟି। ଏହି କମିଟି ନିକଟକୁ ଆସୁଥିଲା ଗଞ୍ଜ‌େଇ ଚାଲାଣର ଖବର। ଏହାକୁ ଜିଲ୍ଲାର ରହିଥିବା ଏସ୍‌ପିଙ୍କ ତତ୍ବାବଧାନରେ କାର୍ଯ୍ୟକାରୀ ହେଉଥିଲା ଅପରେସନ ଗ୍ରିନ୍‌ କ୍ଲିନ୍‌। କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଓ ୩୨୬ ରାଜପଥରେ ଦବଦବା ରହିଥିଲା ଗଞ୍ଜ‌େଇ ଚୋରା ଚାଲାଣର। ଏହା ସିଧା କୋରାପୁଟରୁ ପଞ୍ଜାବ, ହରିୟାଣା, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ ପରି ରାଜ୍ୟକୁ ଚାଲାଣ ହେଉଥିଲା ଗ‌ଞ୍ଜେଇ। ଏହାକୁ ରୋକିବାକୁ ଜିଲ୍ଲା ପୁଲିସ ଗଠନ ହୋଇଥିଲା।

ଗଞ୍ଜେଇ ମାଫିଆ ମାନେ କେବେ ପଣସ ଗାଡି, କଦଳୀ ଗାଡି, ରୁଫ୍‌ ଟପ, ଗ୍ୟାସ ସିଲିଣ୍ଡର, ଆମ୍ବୁଲାନ୍ସ ସହ ବିଭିନ୍ନ ସରକାରୀ ଗାଡିରେ ମଧ୍ୟ ନୂଆନୂଆ ଫଣ୍ଡା ବ୍ୟବହାର କରି ଚୋରା ଚାଲାଣ କରୁଥିଲେ। ଏହାକୁ ପଣ୍ଡ କରି ରାଜ୍ୟ ପୁଲିସକୁ ଦେଉଥିଲା ସଫଳତା। ଯାହାକୁ ନେଇ କୋରାପୁଟ ଗସ୍ତରେ ଯେବେ ବି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଆସନ୍ତି ସେବେ କୋରାପୁଟ ପୁଲିସର ଗଞ୍ଜ‌େଇ ବିରୋଧୀ ଦମନ ଅଭିଯାନକୁ ସାବାସୀ ଦେଇଛନ୍ତି। ପୁଲିସର ରିପୋର୍ଟ ମୁତାବକ କୋରାପୁଟ ଜିଲ୍ଲାରେ ୨୦୨୦ରେ ୨୦୫ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ପାଖାପାଖି ୪୦୧ ଜଣ ଗିରଫ ହୋଇଥିଲେ। ସେହିବର୍ଷ ୨୯୦ ଗାଡି ଜବତ ହୋଇଥିବାବେଳେ ପାଖାପାଖି ୮୦ ହଜାର କେଜିରୁ ଅଧିକ ଗଞ୍ଜ‌େଇ ଜବତ ହୋଇଛି।

୨୦୨୧ରୁ ଏବେ ଯାଏଁ ୧୦୫ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧ ଜଣ ଗିରଫ ହୋଇ ସାରିଲେଣି। ଏବେ ଯାଏଁ ଜିଲ୍ଲାରେ ୧୦୪ଟି ଗାଡି ଜବତ ହୋଇଥିବାବେଳେ ୪୩ ହଜାର କେଜି ଗଞ୍ଜ‌େଇ ଜବତ ହୋଇଛି। ପୂର୍ବରୁ ସେମିଳିଗୁଡା, ନନ୍ଦପୁର ଆଇଆଇସିକୁ ହଟାଯାଇଥିବାବେଳେ ଜିଲ୍ଲାର କୋର କମିଟିରେ ରହିଥିବା ଅନ୍ୟ ଥାନା ଅଧିକାରୀଙ୍କୁ ହଟାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡିଛି। ଏନେଇ ଏସ୍‌ପିଙ୍କ ଉପରେ ଭୀଷଣ ଚାପ ରହିଥିବା ଜଣାପଡିଛି। ତେବେ ସବୁଠୁ ବଡ କଥା ହେଲା କୋରାପୁଟ ଜିଲ୍ଲାର ଜୟପୁର ସଦର, ସେମିଳିଗୁଡା, ନନ୍ଦପୁର, ପାଡୁଆ, ପଟାଙ୍ଗୀ, ଲମତାପୁଟ ଓ ବୈପାରିଗୁଡା ଅଞ୍ଚଳର ଏକାଧିକ ଯୁବକ ଏହି ଗଞ୍ଜ‌େଇ ଚାଲାଣରେ ଧରା ପଡି ଜେଲରେ ରହିଛନ୍ତି। ଏହାକୁ ନେଇ ଏକ ନିର୍ଦ୍ଧିଷ୍ଟ ବରିଷ୍ଟ ନେତା କୋରାପୁଟ ଗସ୍ତରେ ଆସିଥିବା ରାଜ୍ୟର ଜଣେ ବଡ ନେତାଙ୍କୁ ଅବଗତ କରାଇଥିଲେ। ଗସ୍ତ ଶେଷ କରି ସେ ଯିବା ପରେ ତୃତୀୟ ମହଲାରେ ହୋଇଛି ତନାଘନା।

ଗଞ୍ଜ‌େଇ ଚୋରା ଚାଲାଣରେ ନିର୍ଦ୍ଧିଷ୍ଟ ଦଳର ନେତା ଗଠିତ ହୋଇଥିବା କୋର କମିଟି ବିରୋଧ କରୁଥିବା ଜଣାପଡିଛି। ସେମାନଙ୍କୁ ହଟାଇବାକୁ ହୋଇଛି ‌ଷଡଯନ୍ତ୍ର। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, କୋର କମିଟିକୁ ହଟାଯିବାକୁ କୌଣସି ମତେ ଦିଆଯିବ ନାହିଁ। କିଛି ନିର୍ଦ୍ଧିଷ୍ଟ ଦଳର ନେତା ଏହି ତାଲିକାରେ ରହିଥିବାରୁ ଜେଲ ରହିଛନ୍ତି, କିଛି ଏବେ ବି ଫେରାର ରହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏହି କୋର କମିଟିକୁ ହଟାଯିବାକୁ ମସୁଧା କରିଛନ୍ତି। କୋରାପୁଟ ଜିଲ୍ଲାକୁ ଡିଜି ଆସି ହେଲିକ୍ୟାପ୍ଟରରେ ବୁଲି ପଳାଉନ୍ତି। କୋରାପୁଟରୁ ଗଞ୍ଜ‌େଇ ମୂଳପୋଛ କରିବାକୁ ଦେଇଥିବା ପ୍ରସ୍ତାବ ଏହି ବଦଳି ଯୋଗୁଁ ପ୍ରଭାବିତ ହେବାକୁ ଲାଗିଲାଣି।

ତୃତୀୟ ମହଲାର ଚାପ ଯୋଗୁଁ ତାଙ୍କ କଥା ରହିବା କାହିଁ ମୋତେ ଜଣାପଡୁନି। ଏହି ପ୍ରସଙ୍ଗ ବିଧାନସଭାରେ ଉଠିବା ସହ ଗୃହ ବିଭାଗ ଏହାର ଉତ୍ତର ଦେବ ବୋଲି ‌ସେ କହିଛନ୍ତି। ଏନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଉପସଭାପତି ଗୌତମ ସାମନ୍ତରାୟ କହିଛନ୍ତି ଯେ କୋରାପୁଟ ଜିଲ୍ଲାର ଯୁବଗୋଷ୍ଠୀ ଏହି ଗଞ୍ଜ‌େଇ ଚାଲାଣ ଯୋଗୁଁ ପଥଭ୍ରଷ୍ଟ ହେଉଛନ୍ତି। ଯୁବ ମାନସରେ ଏପରି ପ୍ରଭାବିତ କରିଛି ଯେ ବାପା ମାନେ ସେମାନଙ୍କ ପୁଅକୁ ମୁହଁ ଦେଖାଇ ପାରୁନାହାଁନ୍ତି। ସେମାନଙ୍କ ଭଲ ପାଇଁ କୋରାପୁଟ ପୁଲିସ ଯେଉଁ କାର୍ଯ୍ୟ କରିଛି ତାହା ପ୍ରଶଂସନୀୟ। ସେମାନଙ୍କ ସହ ବିଜେପି ରହିଛି ବୋଲି ସେ କହିଛନ୍ତି। ଏନେଇ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ଗଞ୍ଜ‌େଇ ଚୋରା ଚାଲାଣ ବିରୋଧ ହୋଇଥିବା କାର୍ଯ୍ୟାନୁଷ୍ଠାନ ଚାଲିଛି ଓ ଆସନ୍ତା ଦିନରେ ଏହା ଜାରି ରହିବ। ଡିଜିଙ୍କ ନିର୍ଦ୍ଦେଶ ମୁତାବକ ଗଞ୍ଜ‌େଇ ମୂଳଉତ୍ପାଦନ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର