ରାୟଗଡ଼ା: ରାୟଗଡ଼ା ପୁଲିସ ଟାର୍ଗେଟରେ ଗଞ୍ଜେଇ ମାଫିଆ। ଜିଲ୍ଲାରୁ ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ସହ ଚାଷ ରୋକିବାକୁ ଅଭିଯାନ ଆରମ୍ଭ କରିଛି ପୁଲିସ। ପୁଲିସ-ଅବକାରୀ ମିଳିତ ସହଯୋଗରେ ଚାଲିଥିବା ଏହି ଅଭିଯାନ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ଦୁଇବର୍ଷରେ ପୁଲିସ ୧୪୪ ମାମଲା ରୁଜୁ କରି ୨୬୮ ଜଣଙ୍କୁ ଗିରଫ ସହ ନଗଦ ୪୧.୫୯ ଲକ୍ଷ ଟଙ୍କା ଜବତ ହୋଇଛି। ଯାହା ମାଫିଆଙ୍କ ବିରୁଦ୍ଧରେ ପୁଲିସର କଡା ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା, ଗୁଡାରି, ପଦ୍ମପୁର, ଗୁଣପୁର ବ୍ଲକ ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଛି। ଏହି ଅଞ୍ଚଳରେ ସର୍ବାଧିକ ଗଞ୍ଜେଇ ଚାଷ ହେଉଥିବା ବେଳେ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହେଉଛି। ଗଜପତି-କନ୍ଧମାଳ ସୀମାନ୍ତକୁ ଏହି ସବୁ ଅଞ୍ଚଳ ସଂଯୋଗ ହୋଇଥିବାରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆ ପୁଲିସ ଜାଲରୁ ବର୍ତ୍ତି ଯିବାରେ ସକ୍ଷମ ହେଉଛନ୍ତି। ତଥାପି ପୁଲିସ ୨୦୨୧ ମସିହାରେ ୮୦ ମାମଲାରେ ୧୪୭ ଜଣଙ୍କୁ ଗିରଫ କରି ୧୬୯୦୪.୭୭ ଗଞ୍ଜେଇ ଜବତ କରିଛି। ଉକ୍ତ ବର୍ଷ ପୁଲିସ ୧୫ ଭାରିଯାନ, ୨୮ ଚାରି ଚକିଆ, ୧୫ ବାଇକ ସହ ନଗଦ ୩୮ ଲକ୍ଷ ୬୪ ହଜାର ୫୧୫ ଟଙ୍କା ଜବତ କରିଛି। ସେହିପରି ୫୬ ମାମଲାରେ ୧୭୫୭ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ମାମଲାରେ ୩ ଜଣ ଗିରଫ ହୋଇଥିବା ବେଳେ ୧୮ ଲକ୍ଷ ୬୩ ହଜାର ୫୦୦ ଗଛ ନଷ୍ଟ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। ୨୦୨୨ ମସିହାରେ ୬୪ ମାମଲାରେ ୧୨୧ ଜଣଙ୍କୁ ଗିରଫ କରିଛି ପୁଲିସ।

Advertisment

୧୦୩୪୪.୬୮୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୯ଟି ଭାରିଯାନ, ୨୪ ଚାରି ଚକିଆ, ୨୩ ବାଇକ ସହ ନଗଦ ୨ ଲକ୍ଷ ୯୪ ହଜାର ୯୭୦ ଟଙ୍କା ଜବତ ହୋଇଛି। ଉକ୍ତ ବର୍ଷ ୪୫ଟି ମାମଲାରେ ୩ ଜଣ ଗିରଫ ହୋଇଥିବା ବେଳେ ୧୦୩୦ ଏକରରେ ୧୦ ଲକ୍ଷ ୪୨ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି ପୁଲିସ। ଜବତ ଗଞ୍ଜେଇକୁ ପୁଲିସ କୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପୋଡି ନଷ୍ଟ କରିଛି। ୨୦୨୧ରେ ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ନେତୃତ୍ବରେ ପୁଲିସ ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରକୁ ଗିରଫ କରିବା ସହ ନଗଦ ୩୨ ଲକ୍ଷ ଗିରଫ କରିଥିଲା। ଗଞ୍ଜେଇ ମାଫିଆ ଆନନ୍ଦ ନିକଟରୁ ନଗଦ ୩୨ ଲକ୍ଷ ଜବତ ଘଟଣା ଓଡ଼ିଶା ପୁଲିସ ପାଇଁ ସର୍ବାଧିକ ଥିଲା। ପୂର୍ବରୁ କୌଣସି ଗଞ୍ଜେଇ ମାମଲାରେ ପୁଲିସକୁ ଏତେ ବଡ଼ ସଫଳତା ମିଳିନଥିଲା। ମାମଲାର ସୁପରିଚାଳନା ଯୋଗୁ ଗିରଫ ଆନନ୍ଦ ମିଶ୍ରଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବାରେ ମଧ୍ୟ ପୁଲିସ ସଫଳ ହୋଇଥିଲା। ସେହିପରି ଗତ ଦୁଇବର୍ଷ ମଧ୍ୟରେ ବହୁ ହାର୍ଡକୋର୍ ଗଞ୍ଜେଇ ମାଫିଆଙ୍କୁ ପୁଲିସ ଗିରଫ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକର ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ଲୋକେ ଏବେ ମାଣ୍ଡିଆ ସହ ଅନ୍ୟ ଚାଷକୁ ଆପଣାଇ ନେଇଛନ୍ତି। ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ପୁଲିସ, କୃଷି ବିଭାଗ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି।