ଛତ୍ରଭଙ୍ଗ ଦେଲେଣି ଗଞ୍ଜେଇ ମାଫିଆ, ଗିରଫ ହେଲେଣି ୮୬, ଜବତ ହେଲାଣି ୮୬୫୦ କେଜି ଗଞ୍ଜେଇ

ରାୟଗଡ଼ା: କାର-ଟ୍ରକ୍-ଭ୍ୟାନ୍-ବାଇକ୍ ଯେଉଁଥିରେ ଚାଲାଣ କଲେ ବି ପୁଲିସ୍ ମାଡ଼ି ବସୁଛି। ପୁଲିସ୍ ଗୁଇନ୍ଦା ଏତେ ସୁଦୃଢ଼ ହୋଇଯାଇଛନ୍ତି ଯେ ଦିନ ତ ଦୂରର କଥା ମଧ୍ୟରାତ୍ରିରେ ବି ଆଉ ଗଞ୍ଜେଇ ଚାଲାଣ ପାଇଁ ମାଫିଆ ସାହାସ ଜୁଟାଇ ପାରୁନାହାଁନ୍ତି। ବିଷମକଟକ ପୁଲିସ୍ ଡିଭିଜନର ୩ ଥାନା ଇଲାକାରେ ମାଫିଆଙ୍କୁ ସାବାଡ଼ ପାଇଁ ଅପରେସନ୍ ଗ୍ରିନ୍ ଗୋଲଡ୍ ଅଭିଯାନ ଆରମ୍ଭ ପରେ ଚୋରା ଗଞ୍ଜେଇ ଚାଲାଣର ହବ୍ ଚନ୍ଦ୍ରପୁରରୁ ଛତ୍ରଭଙ୍ଗ ଦେଲେଣି ମାଫିଆ। ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକରୁ ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର, ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ରକୁ ବ୍ୟାପକ ଗଞ୍ଜେଇ ଚାଲାଣ ହେଉଛି। ପାହାଡ଼ ପର୍ବତ, ବଣ ଜଙ୍ଗଲ ଘେରା ଏହି ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ପାଇଁ ଏକଦା ଆଡ୍ଡାସ୍ଥଳୀ ପାଲଟିଥିଲା। ଏହି ୩ ବ୍ଲକର ରାସ୍ତା ଦେଇ ମାଫିଆ ମାନେ ସୁରକ୍ଷିତ ଭାବେ ବେଆଇନ କାରବାର ଚଲାଇଥିଲେ। ଗଜପତି-କନ୍ଧମାଳ-କଳାହାଣ୍ଡି-ଗଞ୍ଜାମ ଜିଲ୍ଲାକୁ ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ବ୍ଲକ ସୀମାନ୍ତ ସଂଯୋଗ ହୋଇଥିବାରୁ ପଣସ, ପନିପରିବା, ଧାନ, କୁଣ୍ଡା ପରିବହନ ନାଁରେ ମାଫିଆ ଗଞ୍ଜେଇ ଚାଲାଣ ଜାରି ରଖିଥିଲେ। ଗାଁ ଗାଁରେ ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ବିପଥଗାମୀ କରି ଗଞ୍ଜେଇ ଚାଲାଣ ଓ ଚାଷ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଥିଲେ। ମାଫିଆଙ୍କୁ ସାବାଡ଼ କରିବା ସହ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଗତ ୧ ବର୍ଷ ହେଲା ଅଭିଯାନ ଆରମ୍ଭ କରିଛି ବିଷମକଟକ ପୁଲିସ୍ ଡିଭିଜନ୍। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ତତ୍ତ୍ବାବଧାନରେ ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଲିଥିବା ଧରପଗଡ଼ରେ ବର୍ଷକ ମଧ୍ୟରେ ୮୬ ମାଫିଆ ଗିରଫ ହେବା ସହିତ ୮ ହଜାର ୬୫୦ କେଜି ଗଞ୍ଜେଇ ଜବତ ହେଲାଣି। ଗିରଫଙ୍କ ମଧ୍ୟରେ ଗଞ୍ଜେଇ ଚାଷ ଅଭିଯୋଗରେ ୨୬ ଜଣଙ୍କୁ ପୁଲିସ୍ ବାନ୍ଧିଛି। ପୂର୍ବରୁ କେବଳ ମାଫିଆଙ୍କୁ ପୁଲିସ୍ ଗିରଫ କରୁଥିବା ବେଳେ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ପାଇଁ ପୁଲିସ୍ ଚାଷ କରୁଥିବା ଲୋକଙ୍କୁ ମଧ୍ୟ ଉଠାଇ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଯାହା ମାଫିଆ ଓ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଯୋଗାଉ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ବିଷମକଟକ ପୁଲିସ୍ ଡିଭିଜନ୍ ପକ୍ଷରୁ ରୁଜୁ ହୋଇଥିବା ହାଇପ୍ରୋଫାଇଲ୍ ମାମଲା ମଧ୍ୟରେ କୁଖ୍ୟାତ ଗଞ୍ଜେଇ ମାଫିଆ ତରଭାର ଆନନ୍ଦ ମିଶ୍ର ମାମଲା ରହିଛି। ଆନନ୍ଦଙ୍କ ନିକଟରୁ ପୁଲିସ୍ ନଗଦ ୩୧ ଲକ୍ଷ ଟଙ୍କା ଜବତ କରିବା ସହ ୫ ସହଯୋଗୀକୁ ଗିରଫ କରିଥିଲା। ସେହିପରି ଫେବ୍ରୁଆରୀ ମାସରେ ବିଷକଟକରେ ଚଢ଼ାଉରେ ୧୨୦୦ କେଜି ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ପୁଲିସ୍ ଗିରଫ କରିଥିଲା। ମୁନିଗୁଡ଼ାରେ ହୋଇଥିବା ଚଢ଼ାଉରେ ୧୧୦୦ କେଜି, ୭୮୦ କେଜି ଜବତ ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଚନ୍ଦ୍ରପୁର ମାମଲାରେ ପୁଲିସ୍ ୧୨୦୦ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି। ଚଢ଼ାଉକୁ ପୁଲିସ୍ ଜୋରଦାର୍ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଓ ପଞ୍ଚାୟତ ସ୍ତରରେ ପୁଲିସ୍ ସଭା ସମିତି ଆୟୋଜନ କରୁଛି। ସଚେତନତା ପରେ ଚନ୍ଦ୍ରପୁର ଓ ମୁନିଗୁଡ଼ା ବ୍ଲକର ବିଭିନ୍ନ ଗାଁରେ ହୋଇଥିବା ବୈଠକରେ ଗଞ୍ଜେଇ ଚାଷକୁ ଲୋକେ ବିରୋଧ କରିବା ପାଇଁ ଶପଥ ନେଇଛନ୍ତି। ଯାହା ବେଆଇନ ଗଞ୍ଜେଇ ଚାଲାଣ ରୋକିବା କ୍ଷେତ୍ରରେ ରାୟଗଡ଼ା ପୁଲିସକୁ ବଡ଼ ସଫଳତା ଦେଇଛି। ପୁଲିସ୍ ଚଢ଼ାଉ ଭୟରେ ଏବେ ମାଫିଆ ଚନ୍ଦ୍ରପୁର ଛାଡ଼ି ଗଜପତି ଜିଲ୍ଲାର ଅଡ଼ବା ମୁହାଁ ହୋଇଛନ୍ତି। ତଥାପି ଅପରେସନ୍ ଗ୍ରିନ୍ ଗୋଲଡ୍ ଅଭିଯାନକୁ ପୁଲିସ୍ କ୍ରିୟାଶୀଳ ରଖିଛି। ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍ ରାତିରେ ରାଜପଥକୁ ସଂଯୋଗ ହୋଇଥିବା ବିଭିନ୍ନ ଛକ, ଜଙ୍ଗଲ ରାସ୍ତାରେ ସଜାଗ ରହି ମାଫିଆଙ୍କ ଉପରେ ତୀକ୍ଷଣ୍ ନଜର ରଖିଛି।

ସମ୍ବନ୍ଧିତ ଖବର