୧୦୨କିଲୋ ଗଂଜେଇ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ସୁଙ୍କି ଅଂଚଳରୁ ଛତିଶଗଡର ଜଗଦଲପୁରକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦରଥାନା ପୁଲିସ କୋରାପୁଟ-ଜୟପୁର ଘାଟି ମଧ୍ୟରେ ଗଂଜେଇ ଗାଡ଼ିକୁ କାବୁ କରିଛି। ସେଥିରୁ ୧୦୨କିଲୋଗ୍ରାମ ଗଂଜେଇ ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରିଛି। ଅଭିଯୁକ୍ତ ଜଣକ ସୁନାବେଡ଼ା ଥାନାର ସାନବଡବେଡଙ୍ଗା ଗାଁର ସୁରେନ୍ଦ୍ର ତଲାବଙ୍କ ୧୯ବର୍ଷର ପୁଅ ମହେଶ ତଲାବ। ଏଥି ସହ ଗଂଜେଇ ଚାଲାଣରେ ବ୍ୟବହୃତ କାର୍ ଓ ୨ଟି ମୋବାଇଲ୍ ଫୋନକୁ ଜବତ କରିଛି ପୁଲିସ।

ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ନ ୩ଟା ବେଳେ ସୁଙ୍କି ଅଂଚଳରୁ ଛତିଶଗଡର ଜଗଦଲପୁରକୁ ଗୋଟିଏ ଇଣ୍ଡିଗୋ ଇସିଏସ୍ କାରନଂ ଓଡି-୧୦-୦୧୧୧ରେ ଗଂଜେଇ ଚାଲାଣ ହେଉଥିବା ଜୟପୁର ସଦର ଥାନା ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ନିର୍ଦ୍ଦେଶକ୍ରମେ ସବଇନିସପେକ୍ଟର ଏନକେ ଟପ୍ପୋ ଟିମ୍ ନେଇ କୋରାପୁଟ-ଜୟପୁର ଘାଟିରେ କାରକୁ ଅଟକାଇ ଯାଂଚ କରିଥିଲେ। ସେଥିରୁ ଗଂଜେଇ ରହିଥିବା ଜଣା ପଡ଼ିଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ବାହାରକୁ ବାହାର କରି ଓଜନ କରିବାରେ ଏହା ୧୦୨କିଲୋ ବାହାରିଥିଲା। ଏହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା। ଘଟଣାସ୍ଥଳରୁ ଜଣକୁ ଗିରଫ କରିବା ସହ ୨ଟି ମୋବାଇଲ୍ ଫୋନ ଓ କାରକୁ ଜବତ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର