୮୧ କେଜି ଗଞ୍ଜେଇ ଜବତ, ଦୁଇ କାର ସହ ୫ ଗିରଫ

ମଇଦଲପୁର: ଗଞ୍ଜେଇ ଧରପଗଡରେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୁଲିସକୁ ପୁଣି ମିଳିଛି ସଫଳତା। କୋରାପୁଟ ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ ମଇଦଲପୁର ପୁଲିସ ଗାଡି ଯାଞ୍ଚ ସମୟରେ ୮୧ କେଜି ଗଞ୍ଜେଇ ସହ ୨ଟି କାର ଜବତ କରିବା ସହ ୫ ଜଣ ଯୁବକକୁ ଗିରଫ କରିଛି ମଇଦଲପୁର ପୁଲିସ। ମଇଦଲପୁର ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି ଯେ ପୁଲିସ ଡାବୁଗାଁ ଛକ ଓ ଥାନା ନିକଟରେ ଗାଡି ଯାଞ୍ଚ ସମୟରେ ୨ଟି କାର ଦ୍ରୁତ ଗତିରେ ଯାଉଥିବାର ସନ୍ଦେହ କରି ଉକ୍ତ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଗୋଟିଏ କାରକୁ ପୁଲିସ ଅଟକ ରଖିବାରେ ସଫଳ ହୋଇଥିବାବେଳେ ଆଉ ଏକ କାର ପୁଲିସକୁ ଚକମା ଦେଇ ସେଠାରୁ ପଳାଇଯାଇଥିଲା |

ଏହାପରେ ମଇଦଲପୁର ପୁଲିସ ଉକ୍ତ କାରକୁ ପିଛା କରି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁମେରବାହାଲ ନିକଟରେ ଥିବା ଶିବ ମନ୍ଦିର ନିକଟରୁ ଆମପାଣି ପୁଲିସ ସହାୟତାରେ ଧରିଥିଲା l ଉଭୟ ଗାଡ଼ିରେ ଥିବା ବିହାରର ଵିଶାଲ ପାଲ(୩୭), ଅତୁଲ ରାଜ (୩୬), ମହେଶ ଛବେ (୩୨), ସନୁ କୁମାର (୨୫) ଓ ରାକେଶ କୁମାର ସାହା (୨୮)ଙ୍କୁ ଗିରଫ କରିବା ସହ କେସ ନଂ ୪୦/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଗଞ୍ଜେଇ ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୮୧ କେଜି ଗଞ୍ଜେଇ ବାହାରିଥିଲା l ଥାନା ଅଧିକାରୀ ନଟବର ନନ୍ଦଙ୍କ ସୂଚନା ପ୍ରକାରେ ବିହାର ଅଂଚଳର ଯୁବକମାନେ ଗତ ୧୧ ତାରିଖ କୋରାପୁଟ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରି ହୋଟେଲରେ ରହିଥିଲେ |

ସେଠାରୁ କିଛି ଲୋକ ଆସି ଗାଡିକୁ ନେଇ ନମ୍ବର ପ୍ଲେଟ ବଦଳାଇ ଗଞ୍ଜେଇ ଭର୍ତ୍ତି କରିଥିଲେ l କୋରାପୁଟରୁ ବାହାରି ବିହାର ନେବା ବେଳେ ମଇଦଲପୁର ପୁଲିସ ହାତରେ ଧରା ପଡ଼ିଥିଲେ l ଗଞ୍ଜେଇ ଓଜନ ବେଳେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ନଟବର ନନ୍ଦ, ଏସଆଇ ବିପୁଲ କୁଲଦୀପ, ଏଏସଆଇ ଡି.ଦେବି କୁମାର, ପ୍ରବୀଣ ପାଞ୍ଜିଆ, କୁଶ ମାଝୀ, ଭାସ୍କର ରାଓ ଗଣେଶ ମାଝୀ, ଅନୁସୂୟା ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ |

ସମ୍ବନ୍ଧିତ ଖବର