ରାଉରକେଲା: ଟ୍ରେନ୍‌ରେ ରାଉରକେଲାକୁ ଗଞ୍ଜେଇ ଚୋଚରାଚାଲାଣ ଜୋର୍‌ ଧରିଲାଣି। ବିଭିନ୍ନ ଟ୍ରେନ୍‌ରେ କୋରାପୁଟ, ମାଲକାନଗିରି, ସମ୍ବଲପୁର ପଟୁ ଗଞ୍ଜେଇ ଆଣି ରାଉରକେଲାରେ ବିକ୍ରି କରୁଛନ୍ତି। ଏହାସହ ରାଉରକେଲାରୁ ଟ୍ରେନ୍‌ ଚଢ଼ି ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶକୁ ଚାଲାଣ କରୁଥିବା ନିତିଦିନିଆ ହେଲାଣି। ସମାନ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମାମୁଁ-ଭଣଜା ଯୋଡ଼ିଙ୍କୁ ରାଉରକେଲା ଅବକାରୀ ପୁଲିସ ଆଜି ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭାର କାହ୍ନା ତାଣ୍ଡି(୨୩) ଓ ବରଗଡ଼ ଜିଲ୍ଲା ତୋରା ଗ୍ରାମର ମୂଳବାସିନ୍ଦା। ସେମାନଙ୍କ ପାଖରୁ ୧୯ କେଜି ୧୯୫ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧ ଲକ୍ଷ ୭୨ ହଜାର ଟଙ୍କା ହେବ।

Advertisment

ଦୁଇ ଅଭିଯୁକ୍ତ କୋରାପୁଟରୁ ଟ୍ରେନ୍‌ରେ ଗଞ୍ଜେଇ ଆଣି ସକାଳ ପ୍ରାୟ ୭ଟାରେ ରାଉରକେଲାରେ ପହଞ୍ଚିଥିଲେ। ଷ୍ଟେସନରେ ଦ୍ବିତୀୟ ପ୍ରବେଶ ପଥ ନିକଟରେ ସେମାନେ କିଛି ସମୟ ଛିଡ଼ା ହୋଇଥିବାବେଳେ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌)ଙ୍କ ନଜରରେ ପଡ଼ିଯାଇଥିଲେ। ସେମାନଙ୍କର ଗତିବିଧି ସନ୍ଦେହଜନକ ହେବାରୁ ଉଭୟଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ବ୍ୟାଗ୍‌ ଛାନ୍‌ଭିନ ପରେ ବ୍ୟାଗ୍‌ରେ ଗଞ୍ଜେଇ ଭର୍ତ୍ତି ଥିବା ଜଣାପଡ଼ିଥିଲା। ପରେ ରାଉରକେଲା ଅବକାରୀ ପୁଲିସକୁ ଅଭିଯୁକ୍ତ ଦ୍ବୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଅବକାରୀ ପୁଲିସ ମାମଲା ରୁଜୁକରି ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟଚାଲାଣ କରିଛି। ପ୍ରକାଶଥାଉକି, ଦୁଇ ମାମୁଁ-ଭଣଜା ଗୋପବନ୍ଧୁପଲ୍ଲୀରେ ଥିବା ଅନ୍ୟଜଣେ ବେପାରିଙ୍କୁ ଗଞ୍ଜେଇ ବିକ୍ରି କରିବାକୁ ଆସିଥିଲେ। ତେବେ ସେମାନେ କାହାକୁ ବିକ୍ରି କରିବାକୁ ଆସିଥିଲେ, ସେନେଇ ମୁହଁ ଖୋଲିନାହାନ୍ତି।

ଏହି ମାମୁଁ-ଭଣଜା ଗଞ୍ଜେଇ ବେପାରିଙ୍କ ଚୋରାଚାଲାଣ ପ୍ରକ୍ରିୟା ଭିନ୍ନ ରହିଛି। ଧରାପଡ଼ିଯିବା ଆଶଙ୍କାରେ ଏମାନେ ଚିରାଚରିତ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁନାହାନ୍ତି। ମୁଖ୍ୟତଃ ଗଞ୍ଜେଇକୁ ବୋରାରେ ଭର୍ତ୍ତି କରି ଚାଲାଣ କରାଯାଇଥାଏ। ଏମାନେ କିନ୍ତୁ ଏକାସାଙ୍ଗରେ ଅଧିକ ପରିମାଣର ଗଞ୍ଜେଇ ଚାଲାଣ ନ କରି ପର୍ଯ୍ୟାୟକ୍ରମେ ଚାଲଣ କରିଥାନ୍ତି। ଏଣୁ ଏମାନେ ବୋରା ବଦଳରେ କଲେଜ ପିଲାଙ୍କ ଭଳି ସ୍କାଏ ବ୍ୟାଗ୍‌ ବ୍ୟବହାର କରୁଛନ୍ତି। ଉକ୍ତ ବ୍ୟାଗ୍‌ରେ କିଛି ପୋଷାକ, ଖାଦ୍ୟପେୟ ସହ ସବା ତଳକୁ ଗଞ୍ଜେଇ ରଖୁଛନ୍ତି। ପିଠିରେ ବ୍ୟାଗ୍‌ ଧରି ଗଲେ ପୁଲିସ୍‌/ଆର୍‌ପିଏଫ୍‌କୁ ସହଜରେ ଚକ୍‌ମା ଦେଇ ହେବ। ବେଶ୍‌ ୨/୩ ବର୍ଷ ହେଲା ଏମାନେ ଏହି ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ।