ଚିତ୍ରକୋଣ୍ଡା/ ସମ୍ବଲପୁର : ମାଲକାନଗିରିର ଡାଇକ୍-୩ ନିକଟସ୍ଥ ଜଙ୍ଗଲରୂ ୩କୋଟିରୁ ଉର୍ଦ୍ଧ୍ବ ଏବଂ ସମ୍ବଲପୁର ଟ୍ରେନ୍ରୁ ୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଡାଇକ୍-୩ ନିକଟସ୍ଥ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରହିଥିବା ଗତକାଲି ରାତିରେ କୌଣସି ସୂତ୍ରରୁ ଚିତ୍ରକୋଣ୍ଡା ପୁଲିସ ଖବର ପାଇଥିଲା। ପରେ ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଜଙ୍ଗଲରେ ଚଢ଼ଉ କରିଥିଲେ। ତେବେ, ପୁଲିସକୁ ଦେଖିବା ମାତ୍ରେ ଜଙ୍ଗଲ ଭିତରେ ଥିବା ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ। ପରେ ପୁଲିସ ଜଙ୍ଗଲ ଭିତରେ ଖୋଜାଖୋଜି କରିବାରୁ ବସ୍ତାରେ ବ୍ୟାପକ ପରିମାଣର ଗଞ୍ଜେଇ ଭର୍ତ୍ତି ରହିଥିବା ଦେଖିବାକୁ ପାଇଥିଲା। ପୁଲିସ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା। ଜବତ ଗଞ୍ଜେଇ ୩୩୦କିଲୋ ଏବଂ ଏହାର ଆନୁମାନିକ ମୂଲ୍ୟ ୩କୋଟି ୩୦ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି।
ସେହିଭଳି, ଇସ୍ପାତ ଟ୍ରେନ୍ରୁ ୪୦ ହଜାର ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଓ ଆର୍ପିଏଫ୍ ପକ୍ଷରୁ ସମ୍ବଲପୁର ରେଳ ଷ୍ଟେସନ୍ରେ ମିଳିତ ଭାବେ ଚଢ଼ଉ କରାଯାଇ ଟ୍ରେନ୍ ଭିତରୁ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ବିହାର ଭୋଜପୁର ଜିଲ୍ଲାର ଭୀମ କୁମାର(୨୩), ରୋହତାସ ଜିଲ୍ଲାର ମିଥଳେଶ କୁମାର(୨୧) ଓ ଉତ୍ତରପ୍ରଦେଶର ସର୍ବଜିତ କୁମାର(୧୯)।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ବଲାଙ୍ଗୀର ସଇଁତଳାରୁ ଗଞ୍ଜେଇ ଧରି ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଟ୍ରେନ୍ଟି କ୍ଷେତରାଜପୁର ଷ୍ଟେସନ୍ରେ ପହଞ୍ଚିବା ପରେ ଅବକାରୀ ବିଭାଗର ଏକ ଟିମ୍ ସମ୍ବଲପୁର ଆର୍ପିଏଫ୍ ସହ ମିଶି ଚଢ଼ଉ କରିଥିଲେ।