ବରଗଡ଼/ସୋନପୁର: ନିଶା କାରବାରରେ ମହିଳାଙ୍କ ସଂପୃକ୍ତିର ପୁଣି ଏକ ମାମଲା ସାମନାକୁ ଆସିଛି। ବରଗଡ଼ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ମୋଟ୍‌ ୫୫୩ କିଲୋ ଗଞ୍ଜେଇ ଜବତ କରିଛି। ପ୍ରଥମେ ବିଭାଗୀୟ ଅଧିକାରୀ ୱାର୍ଡ ନମ୍ବର-୧ ଅନ୍ତର୍ଗତ ବ୍ରହ୍ମନଗରରେ ଚଢ଼ଉ କରି ୫୦୫ କିଲୋ ଗଞ୍ଜେଇ ଜବତ କରିଥିଲା। ସେଠାରୁ ମଞ୍ଜୁଲତା ମହାରଣାଙ୍କୁ ଗିରଫ କରିଛି। ତେବେ ସ୍ବାମୀ ଡାକ୍ତର ମହାରଣା ଫେରାର୍‌ ମାରିଥିଲା। ଜେରା ପରେ ଆହୁରି ଗଂଜେଇ ଘୁଲିପାଲିସ୍ଥିତ ଘରେ ଥିବା ଖବର ମିଳିଥିଲା। ଏହାପରେ ସେଠାରେ ବି ଚଢ଼ଉ ହୋଇଥିଲା। ସେହି ଘରେ ମହାରଣା ଦମ୍ପତିଙ୍କ କର୍ମଚାରୀ ଦିଲୀପ ସିଂ ଗଂଜେଇ ରଖୁଥିଲା। ଚଢ଼ାଉ ପୂର୍ବରୁ ସେ ଫେରାର୍‌ ମାରିଥିବାବେଳେ ଘରୁ ୪୮ କିଲୋ ଗଞ୍ଜେଇ ଜବତ ହୋଇଥିଲା।

Advertisment

publive-image

ଅନ୍ୟପଟେ ସୋନପୁର ଅବକାରୀ ବିଭାଗ ଦୁଇଟି ପୃଥକ୍ ଘଟଣାରେ ୨୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ, ଏକ ସ୍କୁଟି (ନମ୍ବର ସିଜି-୧୩ଏଭି-୨୭୧୩)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ଅବକାରୀ ବିଭାଗ ବୈଦ୍ୟନାଥ ଛକରେ ଚଢ଼ଉ କରି ଗାଡ଼ିଟିକୁ ଧରିଥିଲା। ଯାଞ୍ଚ ସମୟରେ ସେଥିରୁ ୮ କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ‌ସୋନପୁର ଅବକାରୀ ବିଭାଗ ଛତିଶଗଡ଼ ଯଶପୁର ଜିଲ୍ଲା ଫରସାବାହାର ଥାନା ଖଟସେରା ଗ୍ରାମର ଅଭିଯୁକ୍ତ ଲକ୍ଷ୍ମଣ ଯାଦବକୁ ଗିରଫ କରିଛି।

ସେହିପରି ଅନ୍ୟ ଏକ ଘଟଣାରେ ଏକ ସ୍କୁଟି (ନମ୍ବର ଓଡି-୧୫କ୍ୟୁ-୫୯୮୧)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ଅବକାରୀ ବିଭାଗ ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଡ଼ଖୋଲ ନିକଟରେ ଗାଡ଼ିଟିକୁ ଧରିଥିଲା। ଯାଞ୍ଚ ସମୟରେ ସେଥିରୁ ୧୨କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣା‌ରେ ସୋନପୁର ଅବକାରୀ ବିଭାଗ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡେଢ଼େଣମାଳ ଗ୍ରାମର ଜିତେନ୍ଦ୍ର ହରିପାଲ(୩୦) ଏବଂ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ସାଗରପାଲି ଗ୍ରାମର ଅଲେଖ କୁମ୍ଭାରଙ୍କୁ ଗିରଫ କରିଛି। ବୁଧବାର ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆ‌ଯାଇଛି।