ରାୟଗଡା: ରାୟଗଡା ପୁଲିସକୁ ଗଞ୍ଜେଇ ଧରପଗଡରେ ପୁଣି ସଫଳତା ମିଳିଛି। ଜିଲ୍ଲାର ପଦ୍ମପୁର ପୁଲିସ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ପୁଲିସ ଥାନାର ଏସଆଇ ଛବିନ୍ଦ୍ର ସେଠୀଙ୍କ ନେତୃତ୍ବରେ ୩୨୬ ଜାତୀୟ ରାଜପଥର ଇନ୍ଦୁପୁର ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଓଡି-୦୮-କ୍ୟୁ-୩୪୩୭ ନମ୍ବର ଥିବା କାର ଦ୍ରୁତଗତିରେ ଆସୁଥିଲା। କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଦୁଇଟି ଜରି ବ୍ୟାଗ ରହିଥିଲା। ସେହି ଜରି ବ୍ୟାଗକୁ କାଢି ଦେଖିଲାବେଳକୁ ସେଥିରେ ୫୦ କିଲୋ ଗଞ୍ଜେଇ ରହିଥିଲା।

Advertisment

publive-image

ତୁରନ୍ତ କାରରେ ଗଞ୍ଜେଇ ଚାଲାଣ କରୁଥିବା ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଏକ ପିସ୍ତଲ, ୫ଟି ମୋବାଇଲ ସହ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନସ ସହ କାରକୁ ପୁଲିସ ଜବତ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜୁନାଗଡ ଅଂଚଳର ଅତୁଲ କୁମାର ପଣ୍ଡା,ଦେବବ୍ରତ ଦାସ ଏବଂ ଧନସିଂ ବୁରୁଡା। ଏହି ଗଞ୍ଜେଇ ପଦ୍ମପୁର ଦୁର୍ଗମ ଅଂଚଳର ମେରେଣ୍ଡା ଗ୍ରାମରୁ ଅଣାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଏହି ଗଂଜେଇକୁ ମହାରାଷ୍ଟ୍ରର ନାଗପୁର ଅଂଚଳକୁ ଚାଲାଣ କରାଯାଇଥାନ୍ତା। କିପରି ଗଞ୍ଜେଇ ମାଫିଆମାନେ ଲୋକଙ୍କୁ ଭୟଭୀତ କରିବା ପାଇଁ ପିସ୍ତଲ ଧରୁଛନ୍ତି ଏବଂ ଦରକାର ପଡିଲେ ଏହାକୁ ବ୍ୟବହାର ମଧ୍ୟ କରୁଛନ୍ତି ଏହି ଚଢାଉରୁ ଜଣାପଡିଛି।