ସୋନପୁର: ସୋନପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬୨ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଏକ କାର୍‌ ନଂ ସିଜି ୧୫ ଇବି ୭୨୦୭ରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସୋନପୁର ବୁଢ଼ାରାଜା ଛକ ନିକଟରେ ଅବକାରୀ ବିଭାଗ ଧରିଥିଲା। ଯାଞ୍ଚ ସମୟରେ ଏଥିରୁ ୩୦ କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଛତିଶଗଡ଼ ସୂରଜପୁର ଜିଲ୍ଲା ପ୍ରେମନଗର ଥାନା ତାରା ଗ୍ରାମର ଅଭିଯୁକ୍ତ ବିବେକ ଦାସ(୩୩) ଏବଂ ଉଦୟପୁର ଥାନା ସାଲିହରିହରପୁର ଗ୍ରାମର ଅଭିଯୁକ୍ତ ଅଜୟ କୁମାର(୩୨)କୁ ଗିରଫ କରିଛି। ଅନ୍ୟ ଏକ ଘଟଣାରେ ଏକ ନମ୍ବରବିହୀନ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସୋନପୁର ପଟାଭାଡ଼ି ଛକରେ ଧରିଥିଲା।

Advertisment

ଯାଞ୍ଚ ସମୟରେ ଏଥିରୁ ୨୫ କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ସୋନପୁର ଅବକାରୀ ବିଭାଗ ଛତିଶଗଡ଼ ସରଗୁଜା ଜିଲ୍ଲା ମାଦିପୁର ଥାନା ଯୋଗୀବନ୍ଧ ଗ୍ରାମର ଅଭିଯୁକ୍ତ ଚଞ୍ଚଲରାମ ରାଜୱାଡ଼େ(୩୭)କୁ ଗିରଫ କରିଛି। ସେହିପରି ଅନ୍ୟ ଏକ ଘଟଣାରେ ଛତିଶଗଡ଼ ସରଗୁଜା ଜିଲ୍ଲା ଅମ୍ବିକାପୁର ଥାନା ଭିଟିକାଲା ଗ୍ରାମର ଅରବିନ୍ଦ ରାଜୱାଡ଼େ(୩୭) ସୋନପୁର ବ୍ଲକ୍‌ ଛକରେ ଗଞ୍ଜେଇ ଧରି ଠିଆ ହୋଇଥିବା ବେଳେ ଅବକାରି ବିଭାଗ ଧରିଥିଲା। ଯାଞ୍ଚ ସମୟରେ ତା ନିକଟରୁ ୭ କେଜି ଗଞ୍ଜେଇ ବାହାରିଥିଲା। ଅବକାରୀ ବିଭାଗ ଅଭିଯୁକ୍ତ ଅରବିନ୍ଦକୁ ମଧ୍ୟ ଗିରଫ କରିଛି। ବୁଧବାର ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିବା ବେଳେ ଏଥିରେ ଇନ୍ସପେକ୍ଟର ପ୍ରକାଶ ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସ୍‌ଆଇ ସୁଶାନ୍ତ ପଟ୍ଟନାୟକ, ଏଏସ୍‌ଆଇ ପିଣ୍ଟୁ ସାହୁ, ଏଏସ୍‌ଆଇ ପୃଥ୍ବୀରାଜ କହଁର ପ୍ରମୁଖ ସାମିଲ ଥିଲେ।