ରାୟଗଡା: ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ପୁଲିସକୁ ମିଳିଛି ସଫଳତା। ଶୁକୁଡୁବାଜୁ ଗାଁ ରାସ୍ତାରେ ଗୁଡାରୀ ପୁଲିସର ଚଢାଉ କରି ୩ କୁଇଣ୍ଟାଲ ୨ କିଲୋ ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ଅନୁଯାୟୀ ରାୟଗଡ଼ା ଏସ ପି. ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ସହ ଗୁଡ଼ାରୀ ଆଇଆଇସି ଦିନବନ୍ଧୁ ଶବରଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ରବିବାର ସକାଳୁ ମଧୁବନ ପଞ୍ଚାୟତର ଶୁକୁଡୁବାଜୁ ଗାଁ ରାସ୍ତାରେ ଚଡାଉ କରିଥିଲା। ଏହି ସମୟରେ ବେପାରୀମାନେ ଗଞ୍ଜେଇ ଅଖା ଭର୍ତ୍ତି କରିବାବେଳେ ପୁଲିସ କାବୁ କରିଥିଲା।୫ ଜଣକୁ ଗିରଫ କରିଥିବା ବେଳେ ଆଉ ୨ଜଣ ଜଙ୍ଗଲ ଭିତରେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Advertisment

ଏନେଇ ଥାନାରେ ଏକ ଏନଡିପିଏସ୍ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇ ଅଧିକ ତଦନ୍ତ କରୁଥିବା କହିଛି। ୫ଜଣ ଗିରଫ ବ୍ୟକ୍ତି ଗୁଡ଼ାରୀ ଥାନା ଅଞ୍ଚଳର।ସେମାନେ ହେଲେ ମାଲା ଡାକପାସକା(୪୫),ମଙ୍ଗୁଳୁ ଡାକପାସକା(୩୦),ରାଜା କାଡ୍ରାକା(୨୯),ଶ୍ୟାମ ମାମ୍ବାଲାକା(୪୦) ଏବଂ ପୂର୍ଣ୍ଣ କୁଡୁକାକା(୪୦)। ପୁଲିସ ଅଭିଯୁକ୍ତଙ୍କ ପାଖରୁ ୨ଟି ମୋବାଇଲ ଜବତ କରିଛି। ଆଜି ଅପରାହ୍ନରେ ସେମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି | କେସର ତଦନ୍ତ କରାଯାଇ ୨ ଫେରାର ଥିବା ବ୍ୟକ୍ତିକୁ ଅତିଶୀଘ୍ର ପୁଲିସ ଗିରଫ କରିବ ବୋଲି ତଦନ୍ତ କରୁଥିବା ଅଧିକାରୀ ରାଜେଶ୍ୱର୍ ଶବର ସୂଚନା ଦେଇଛନ୍ତି।