ବ୍ରହ୍ମପୁର: ବ୍ରହ୍ମପୁର ଦେଇ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ପାଇଁ ହୋଇଥିଲା ଯୋଜନା। ଏକ ଟ୍ରକ୍‌ ଭର୍ତ୍ତି ଗଞ୍ଜେଇ ଫାଷ୍ଟଗେଟ୍‌ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବ ବୋଲି ଆଗୁଆ ସୂଚନା ମିଳିଥିଲା। ସେ ନେଇ ଅବକାରୀ କମିସନର୍‌ ଆଶିଷ ସିଂହ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଫାଷ୍ଟଗେଟରେ ବ୍ଲକିଂ କରିଥିଲା। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌(ୟୁପି ୨୫ଡିଟି ୪୮୯୭)କୁ ଅଟକାଇ ଥିଲା। ଯାଞ୍ଚ ପରେ ଟ୍ରକ୍‌ ଡାଲାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ସେଠାରୁ ମୋଟ ୪ଶହ କେଜି ଗଞ୍ଜେଇ ଜବତ ହୋଇଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡେପ୍ୟୁଟି କମିସନର୍‌ ରାଜେନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।

Advertisment

ଏ ସଂକ୍ରାନ୍ତରେ ଦୁଇଜଣ ଚା‌ଲାଣକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉତ୍ତରପ୍ରଦେଶ ରାଇବରେଲିର ରାମ ଦାସ (୩୩) ଓ ଭୁପିନ୍ଦର ସିଂ(୨୩) ବୋଲି ଡେପୁଟି କମିସନର୍‌ ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ଏକ ଟିମ୍‌ ବ୍ରହ୍ମପୁର ରେଳ ଷ୍ଟେସନ ଦୁଇଜଣ ଯୁବକଙ୍କୁ ସନ୍ଦେହରେ ଅଟକ ରଖିଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ମୋଟ ୩୨କେଜି ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଜଳେଶ୍ବର ମଲ୍ଲିକ(୨୩) ଓ ଯଜ୍ଞରାଜ ମଲ୍ଲିକ(୨୨)। ଉଭୟଙ୍କୁ ଜେରା ବେଳେ ସେମାନେ ଏହି ଗଞ୍ଜେଇ କନ୍ଧମାଳରୁ ଆଣି ଟ୍ରେନ୍‌ରେ ସୁରତ ଚାଲାଣ କରିଥାନ୍ତେ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଓ ଟ୍ରକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪୭ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ଚଢ଼ଉରେ ଡିଏସ୍‌ଇ କୁବେର ସେଠୀ, ଇନ୍‌ସ୍ପେକ୍ଟର୍‌ ଗୀତାଞ୍ଜଳି ସାହୁ, ଏଏସ୍‌ଆଇ ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।