୩୫୭ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣେ ଆସାମୀକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓର୍କେଲ, ଚିତ୍ରକୋଣ୍ଡା, ଖଇରପୁଟ ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହାସଲ କରି ଚାଲିଛନ୍ତି।ଗତକାଲି ରାତିରେ ଓର୍କେଲ ପୁଲିସ ଏସଆଇ ବି. ସାହୁଙ୍କ ନେତୃତ୍ବରେ ହରିପୁର ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ମଟର ସାଇକେଲରେ ଗଞ୍ଜେଇ ଲଦି ଯାଉଥିବା ପୁଲିସ ଜାଣିବା ପରେ ଚଢଉ କରି ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରିଥିଲେ। ଜବତ ଗଞ୍ଜେଇକୁ ଓଜନ କରିବା ପରେ ସେଥିରେ ୩୫୭ କିଲୋ ଗଞ୍ଜେଇ ରହିଥିବା ପୁଲିସ କହିଛି।

ଗିରଫ ହୋଇଥିବା ବ୍ୟକ୍ତି ଜଣକ ନବରଂଗପୁର ଜିଲ୍ଲାର ଡାବୁଗାଁର ଶେଖ ଆସଲମ ବୋଲି ପୁଲିସ କହିଛି। ଗଞ୍ଜେଇକୁ ମାଲାକନଗିରିରୁ ନବରଙ୍ଗପୁର ଜିଲ୍ଲାକୁ ଚାଲାଣ କରାଯାଇଥିଲା। ଏନଡିପିଏସ ଆକ୍ଟରେ କେଶ ରୁଜୁ କରାଯାଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ତେବେ ଜିଲ୍ଲାରେ ପୁଲିସ ଗଞ୍ଜେଇ ଚାଲାଣ ରୋକିବାରେ ଏକ ପ୍ରକାର ସଫଳତା ପାଇ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଲିସର ଏଭଳି ଚଢାଉରେ ଗଞ୍ଜେଇ ମାଫିଆଙ୍କ ଭାଳେଣି ପଡିଛି। ଯେତେ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମଧ୍ୟ ପୁଲିସ ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହେଉଛି।

ସମ୍ବନ୍ଧିତ ଖବର