କଣଲୋଇ ସଂରକ୍ଷିତ ଜଙ୍ଗଲରେ ମିଳିତ ଚଢ଼ଉ, ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ପୁଣି ଉତ୍ତରପ୍ରଦେଶକୁ ୯ଲକ୍ଷର ଗଂଜେଇ ଚାଲାଣ: ୩ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ସଂରକ୍ଷିତ ଜଙ୍ଗଲ ଭିତରେ ହୋଇଥିବା ଗଞ୍ଜେଇ ଫିଲଡ଼ରେ ମିଳିତ ଚଢ଼ଉ କରି ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି। ଆଜି ସକାଳେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଅନୁଗୁଳ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନେତୃତ୍ୱରେ ଅବକାରୀ, ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୨ ଏକର୨୫ ଡ଼ିସିମିଲ ଜମିରେ ପ୍ରାୟ ୯ ହଜାରରୁ ଅଧିକ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି। ଚଢ଼ଉରେ କୌଣସି ଚାଷୀଙ୍କୁ ଧରାଯାଇନଥିବାବେଳେ ଅବକାରୀ ଏସଆଇ ଦିଲିପ କୁମାର ବେହେରା, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଅବଦୁଲ ୱାସୀମ ଖାନ, ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ ଓ ବିଭାଗୀୟ କର୍ମଚାରୀ ସାମିଲ ଥିଲେ। ନଷ୍ଟ ହୋଇଥିବା ଗଞ୍ଜେଇ ମୂଲ୍ୟ ୯୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଉଛି।

ଅନ୍ୟପଟେ ଜୟପୁର ସଦରଥାନା ଅର୍ନ୍ତଗତ ପାତ୍ରପୁଟ ବ୍ରିଜ୍ ନିକଟରେ ଲମତାପୁଟରୁ ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲାକୁ ଗୋଟିଏ ଡଷ୍ଟର କାରରେ ୮୧କିଲୋ ୭୦୦ଗ୍ରାମ ଗଂଜେଇ ଚାଲାଣ ବେଳେ ଜୟପୁର ସଦରଥାନା ପୁଲିସ ହାତରେ ଏହା ଜବତ ହୋଇଛି। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୯ଲକ୍ଷ ହେବ ବୋଲି ଜୟପୁର ସଦରଥାନା ଓଆଇସି ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଓଆଇସି ମହାକୁର,ସବଇନିସପେକ୍ଟର ନବୀନ କୁମାର ଟପ୍ପୋ ସଦଳବଳ ସହ ପାତ୍ରପୁଟ ବ୍ରିଜ୍ ନିକଟରେ ଗତକାଲି ସଂଧ୍ୟା ୬ଟା ୨୦ ବେଳେ ଜଗି ରହିଥିଲେ। ଲମତାପୁଟ ଅଂଚଳରୁ ଆସୁଥିବା ଡଷ୍ଟର କାରକୁ ଅଟକାଇ ଏହାକୁ ଯାଂଚ କରିଥିଲେ। ଗାଡିର ଡିକିରେ ଗୋଟିଏ ବାକ୍ସ କରି ଏଥିରେ ଏହି ଗଂଜେଇ ଚାଲାଣ କରାଯାଉଥିଲା।

କାରରେ ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲାର ମାଣ୍ଡା ଥାନା ଅର୍ନ୍ତଗତ ଟିକର ଗାଁର ସନ୍ତୋଷ କୁମାର ଗାଉଦଙ୍କ ୨୬ବର୍ଷର ପୁଅ ପୁଷ୍ପରାଜ ଗାଉଦ, ମେଜା ଥାନା ଅର୍ନ୍ତଗତ ଭାସୁନ୍ଧରର ଅମ୍ରିତଲାଲ ପଟେଲଙ୍କ ୩୨ବର୍ଷର ପୁଅ ଶିବଶଙ୍କର ପଟେଲ, ନଇନି ଥାନା ଅର୍ନ୍ତଗତ ସରପିଟାର ଶିବ ପ୍ରସାଦ ପଟେଲଙ୍କ ୩୨ବର୍ଷର ପୁଅ ଅନିଲ କୁମାର ପଟେଲଙ୍କୁ କାର ସହ ଧରିଥିଲା। ଏହି ତିନି ଜଣ ଏହି ମାମଲାର ଅଭିଯୁକ୍ତ ବୋଲି ପୁଲିସ କହିଛି। ଲମତାପୁଟରୁ ଏହି ଜବତ ଗଂଜେଇକୁ ଅଭିଯୁକ୍ତ ତିନି ଜଣ ଉତ୍ତର ପ୍ରଦେଶ ନେଉଥିବା ତଦନ୍ତ ବେଳେ ସ୍ବୀକାର କରିଥିବା କହିଛନ୍ତି ଓଆଇସି ଶ୍ରୀ ମହାକୁର। ନିୟମିତ ଭାବେ ପୁଲିସ ଗଂଜେଇ ଧରପଗଡ଼ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରୁଥିବା ବେଳେ ପ୍ରକୃତରେ ଏହି ମାମଲାର କିଏ ରିଂ ମାଷ୍ଟର ତାକୁ ଧରି ଲୋକଲୋଚନକୁ ଅଣାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର