ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗଞ୍ଜେଇ ଅମଳ କରିବାରୁ ଋତୁ ଆସିଥିବାରୁ ପୁଲିସ ଏବଂ ଅବକାରୀ ବିଭାଗ ତତ୍ପରତା ଦେଖାଉଛି। ଲଗାତାର ପ୍ରତିଦିନ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଅଧିକାରୀ ମାନେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହେଉଛନ୍ତି। ବିଶେଷକରି ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପ୍ରବଳ ଗଞ୍ଜେଇ ଚାଷ କରାଯାଇଥାଏ। ତେଣୁ ଏହି ଅଞ୍ଚଳରେ ପୁଲିସ ସୁରକ୍ଷାକୁ କଡାକଡି କରି ଗଞ୍ଜେଇ ଚାଷ କରାଯାଉଥିବା ଅଞ୍ଚଳରେ ଚଢାଉ କରି ଗଞ୍ଜେଇ ନଷ୍ଟ କରୁଛି। ଏହି କ୍ରମରେ ଆଜି ପୁଣି ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଭାବେ ଚିତ୍ରକୋଣ୍ଡା ଥାନା ଅଞ୍ଚଳର ବଡପଦର ପଞ୍ଚାୟତର ରେଖାପାଲ୍ଲୀ, କମାରଗୁଡା ଏବଂ ପଲସପଦର ଅଞ୍ଚଳରେ ଲଗାଯାଇଥିବା ପ୍ରାୟ ୮୫ ଏକର ସରକାରୀ ଜମିରେ ୧ ଲକ୍ଷ ୨୭ ହଜାର ୫ ଶହ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି।
ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏବେ ବି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଗଞ୍ଜେଇ ଚାଷ ଜୋରସୋରେ ଚାଲିଛି। ଯାହାକୁ ନଷ୍ଟ କରିବା ପାଇଁ ପୁଲିସ ଏବେ କଡା ପଦକ୍ଷେପ ନେଉଛି। ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରୁ ଏକ ହଜାର କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହୋଇଥାଏ। ଏବେ ଗଞ୍ଜେଇ ଅମଳ କରିବାକୁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଏବଂ ଅବକାରୀ କର୍ମଚାରୀ ପହଞ୍ଚି ଏହାକୁ ନଷ୍ଟ କରିବାରେ ସଫଳ ହେଉଛନ୍ତି।