୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ କାର-୭ ମୋବାଇଲ ସହ ୭ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ଟାଉନ ଥାନା, ସଦର ଥାନା ଓ ବୈପାରିଗୁଡ଼ା ଥାନା ପୁଲିସ ବିଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଛି। ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରି ୧୫୨ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଜୟପୁର ଟାଉନ୍‌ ଥାନା ପୁଲିସ ଆଜି ଭୋର ସକାଳୁ ଗୋପାଳ ହସ୍ପିଟାଲ-ଜୟନଗର ବାଇପାସ୍‌ରୋଡରେ ଚଢ଼ାଉ କରି ୩୫କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ପୁଲିସ ପଶ୍ଚିମ ଦିଲ୍ଲୀର ସେକ୍ଟର୧୪ ଅଞ୍ଚଳର ଜିତେନ୍ଦ୍ର କୁମାର (୩୦), ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପାଲି ଗ୍ରାମର ଲିଙ୍ଗରାଜ ମାଝୀ (୨୮) , ଆସାମର ଧୁବୁରି ଅଂଚଳର ସୁବଲ ମଜୁମଦାର (୪୬) ଓ ପଶ୍ଚିମ ଦିଲ୍ଲୀ ସେକ୍ଟର ଏ(୫)ର ରିଙ୍କୁ ଦେବୀ (୩୫)ଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କର ଠାରୁ ଏକ କାର ଓ ୫ଟି ମୋବାଇଲ ଜବତ କରିଛି।

ସେହିପରି ସଦର ଥାନା ପୁଲି ୨୬ ନମ୍ବର ଜାତୀୟ ରାଜପଥର ବିସୋଇପୁଟ ଛକରୁ ଶୁକ୍ରବାର ଅପରାହ୍‌ଣରେ ୮୦ କିଲୋ ଗଞ୍ଜେଇ ଜବତ କରି ପଶ୍ଚିମ ଦିଲ୍ଲୀର ମଣିନ୍ଦ୍ର ସିଂହ ଓ ପରବିନ୍ଦର ସିଂହଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଠାରୁ ପୁଲିସ ଏକ କାର, ଗୋଟିଏ ମୋବାଇଲ ଜବତ କରିଛି।

ବୈପାରିଗୁଡ଼ା ପୁଲିସ ୩୨୬ ନମ୍ବର ଜାତୀୟ ରାଜପଥର ତରଙ୍ଗିଣୀଗୁଡ଼ା ଗାଁ ନିକଟରେ ଚଢ଼ାଉ କରି ୨୪କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ମନ ଜାନି ନାଁରେ ଜଣେ ଯୁବକକୁ ଗିରଫ କରିଛି। ସେହିପରି ପୁଲିସ ଲକ୍ଷ୍ମୀପୁର ନିକଟରେ ଆଜି ଚଢ଼ାଉ କରି ୨୨ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଓ ଏକ କାର ଜବତ କରିଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର