କୋଟିଏ ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ, ୩ଗିରଫ

ଡ୍ରାଇଭର ଚମ୍ପଟ, ଏଇଚର ଭ୍ୟାନ, କାର ଓ ୪ ମୋବାଇଲ୍ ଜବତ 

ଜୟପୁର: ଗଂଜେଇ ଚାଳାଣାକାରୀ ମାନେ ଯେତେ ସବୁ ନୁଆ ତାରିକାରେ ଚାଲାଣ କରିବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ ହାତରେ ଧରା ପଡ଼ୁଛନ୍ତି। କୋରାପୁଟ ଜିଲ୍ଲାର ସୀମାନ୍ତ ପାଡ଼ୁଆ ଅଂଚଳର ଚାଷୀଙ୍କ ଠାରୁ ଗଂଜେଇ କିଣି ଏହାକୁ ଭ୍ୟାନରେ ଜୟପୁର ଅଂଚଳକୁ ଅଣାଯାଉଛି। ଜାତୀୟ ରାଜପଥ ଦେଇ ଆନ୍ତଃରାଜ୍ୟକୁ ଯାଉଥିବା ମାଲପରିବହନ କରୁଥିବା ବଡ଼ ବଡ଼ ଟ୍ରକର ଡ୍ରାଇଭରଙ୍କୁ ଟଙ୍କାର ଲାଲସା ଦେଖାଯାଉଛି। ଉକ୍ତ ଟ୍ରକ ଗୁଡ଼ିକରେ ଯାଉଥିବା ମାଲ ମଧ୍ୟରେ ଅଳ୍ପ ଅଳ୍ପ କରି ଗଂଜେଇ ଚାଳାଣ କରାଯାଉଛି। ଏଭଳି ଯୋଜନା କରି ଏଇଚର ଭ୍ୟାନ  (ସିଜି-୦୪-ଏମଏମ୍-୩୦୯୫)ରେ ଜୟପୁର ଘାଟିର ଶିବମନ୍ଦିର ପର୍ଯ୍ୟନ୍ତ ଆସିଥିଲା ଗଂଜେଇ। ଏଠାରୁ ଟ୍ରକ ଯୋଗେ ଅନ୍ତଃରାଜ୍ୟକୁ ଯାଇଥାନ୍ତା। କିନ୍ତୁ ଚାଳାଣକାରୀଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଥିଲା। ଜୟପୁର ସଦରଥାନା ପୁଲିସ ହାବୁଡ଼ରେ ଗତ କାଲି ସଂଧ୍ୟା ସାଢ଼େ ୭ଟା ବେଳେ ପଡ଼ିଯାଇଥିଲେ। ଏହା ସହ ଭ୍ୟାନରୁ କୋଟିଏ ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଗଂଜେଇ ଚାଳାଣ ନେଇ ବିଶ୍ବସ୍ତସୂତ୍ରରୁ ସୂଚନା ପାଇଥିଲେ। ସବଇନିସପେକ୍ଟର ଏନକେ ଟପ୍ପୋଙ୍କୁ ସଦଳବଳ ସହ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ। ସଦରଥାନା ପୁଲିସ ଚଢ଼ାଉ କରିବା ବେଳେ ଭ୍ୟାନ୍ ନିକଟରେ ମାରୁତି ସିଲେରିଆ କାର ନଂ ଓଡି -୧୦କ୍ବୁ-୭୨୧୬ ବି ରହିଥିଲା। କାର ନିକଟରେ ତିନି ଜଣ ଯୁବକ ଠିଆହୋଇଥିଲେ। ପୁଲିସ ଯାଂଚ କରିବା ପାଇଁ ଭ୍ୟାନ୍ ନିକଟକୁ ଯିବା ବେଳେ ଅନ୍ଧାରର ସୁଯୋଗ ନେଇ ଭ୍ୟାନର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଭ୍ୟାନ ମଧ୍ୟରୁ ସବୁ ଗଂଜେଇକୁ ବାହାର କରିଥିଲେ। ଏହା ଓଜନ କରିବାରେ ୧୦୯୫କିଲୋ ହୋଇଥିଲା।

 

ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୧୦ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି। ଉପସ୍ଥିତ ଥିବା ତିନି ଅଭିଯୁକ୍ତଙ୍କୁ ପୁଲିସ ଧରିଥିଲେ। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ହେଲେ ଜୟପାଟଣା ଥାନା ଅର୍ନ୍ତଗତ ଉଚ୍ଛଳା ଗାଁର ବୈକୁଣ୍ଠ ସାହୁଙ୍କ ୨୩ବର୍ଷର ପୁଅ ରୁପେଶ ସାହୁ, ବୈଲୋଚନ ନାୟକଙ୍କ ୨୩ବର୍ଷର ପୁଅ ଜୟନ୍ତ ନାୟକ, ଓ ଭାରିପାଲ୍ଲୀ ଗାଁର ଗମିର ନାୟକଙ୍କ ୨୧ବର୍ଷର ପୁଅ ନୃପତ୍ତି ନାୟକ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ୪ଟି ମୋବାଇଲ୍ ଫୋନ ଜବତ କରିଛି। ଏହି ୩ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏହି ମାମଲାର ମାଷ୍ଟରମାଇଣ୍ଡଙ୍କ ସୁପରଭାଇଜର। ଅନ୍ୟ ଦୁଇ ଜଣ ସହଯୋଗୀ ଥିବା ବେଳେ ଏହି ମାମଲାର ମୁଖ୍ୟ କାର୍ପଟଦାର କିଏ ତାହାର ତଦନ୍ତ ପୁଲିସ ପକ୍ଷରୁ ହୋଇଥିବା କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର