ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ଶିଶୁ ‘ଜଗା’କୁ ରାତିରେ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ

ଶେରଗଡ଼: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ ଆଜି ରାତି ୯ଟା ୪୫ରେ ଗୋଠଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଚର୍ମରୋଗରେ ଆକ୍ରାନ୍ତ ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ସହ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥି ସହ ଅଧିକ ଚିକିତ୍ସା ନିମନ୍ତେ ଆସନ୍ତାକାଲି ସ୍ୱାସ୍ଥ୍ୟ ଟିମ ଜଗାର ଘରକୁ ଆସିବେ ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ଏମ୍‌ସ (ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ)ରେ ଚିକିତ୍ସା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା (୧୦) ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇଛି। ଏଥି ପାଇଁ ସେ ଅସହ୍ୟ ଯନ୍ତ୍ରଣା ପାଉଛି। ଖେଳିବା, ବୁଲିବା ସହ ପଢିବାକୁ ଇଛା ଥିଲେ ମଧ୍ୟ ନିଜର ବିକୃତ ଚେହେରାକୁ ନେଇ ଘରେ ପଡ଼ିରହୁଛି। ଅର୍ଥ ଅଭାବରୁ ବାପା ଚିକିତ୍ସା ଅଧାରୁ ବନ୍ଦ କରିଦେଇ ଭାଗ୍ୟକୁ ନିନ୍ଦିତ ଜଗା କାଳିଆ ଭରସାରେ ରହିଛନ୍ତି। ପୂର୍ବରୁ ଜଗାର ଚାରି ଭଉଣୀ ଏବଂ ଦୁଇ ଭାଇ ଜନ୍ମ ହୋଇ ସମାନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ବେଳେ ଜଗା ଗର୍ଭରେ ଥିବା ବେଳେ ଛଅ ମାସରୁ ଜନ୍ମ ହେବା ପର୍ଯ୍ୟନ୍ତ ଔଷଧ ଦିଆ ଯାଉଥିଲେ ମଧ୍ୟ ବ୍ରହ୍ମପୁର ମେଡିକାଲରେ ଜନ୍ମ ହେବା ସମୟରେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇ ଜନ୍ମ ହୋଇଥିଲା।

ଜଗା ଜନ୍ମ ହେବାର ଅଧା ଘଣ୍ଟା ପରେ ଅଚାନକ ତାହାର ଦେହ ପଲିଥିନ ଭଳି ରଙ୍ଗ ହେବା ସହ ଶରୀରରୁ ଚର୍ମ ଛାଡ଼ିବା ସହ ପୋଡ଼ିବା ପରିସ୍ଥିତି ସୃଷ୍ଟି ହୋଇଗଲା । ବିଶେଷ କରି ଗରମ ଦିନେ ଜଗାର ସ୍ଥିତି ଅତି ସାଙ୍ଘାତିକ ହୋଇପଡୁଛି। ଦିନ ତମାମ ପାଣି କୁଣ୍ଡ ମଧ୍ୟରେ ବସି ରହୁଛି। ଜଗାର ଚିକିତ୍ସା ନିମନ୍ତେ ପ୍ରଭାକର ବିଭିନ୍ନ ସମୟରେ ଚିକିତ୍ସା କରି ପାଞ୍ଚ ଲକ୍ଷ ଟଙ୍କା ବାକି ହୋଇଥିଲେ ମଧ୍ୟ ଜଗାର ସ୍ୱାସ୍ଥ୍ୟରେ କିଛି ଉନ୍ନତି ନ ହେବା ଯୋଗୁଁ ଚିକିତ୍ସା ଆଉ କରି ପାରୁନାହାନ୍ତି ପ୍ରଭାକରଙ୍କ ପରିବାର ପାଇଁ ସବୁ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଅପହଞ୍ଚ ହୋଇ ପଡିଛି।

ସମ୍ବନ୍ଧିତ ଖବର