ଗଞ୍ଜାମରେ କୋଭିଡ ପଜିଟିଭ୍ ମାମଲା ହ୍ରାସ ପାଉଛି, ବ୍ୟବସାୟୀଙ୍କୁ ପଞ୍ଚସୂତ୍ରର ପାଳନ କରିବାକୁ କହିଲେ ଗଞ୍ଜାମ ଜିଲ୍ଲାପାଳ
ଗଞ୍ଜାମ: ଗଞ୍ଜାମରେ ଗତ ୧୦ଦିନ ହେବ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ପଜିଟିଭ୍ ମାମଲା ହ୍ରାସ ପାଇବାରେ ଲାଗିଛି। କରୋନା ସଂକଟ ସମୟରେ ଲୋକମାନେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରୁଥିବାରୁ କରୋନା ପଜିଟଭ୍ ମାମଲା ହ୍ରାସ ପାଇଛି। କରୋନା ଯୁଦ୍ଧରେ ସହଯୋଗ କରୁଥିବା ହେତୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଏଥିସହିତ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ଘରଘର ବୁଲି ସ୍କ୍ରିନିଂ କରିବା ସହିତ ଆରଆରଟି ବୁଲି ଲୋକମାନଙ୍କର କରୋନା ଲକ୍ଷଣ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ଜାରି ରଖିଛି। ଏହି କାରଣରୁ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ କୌଣସି ବ୍ୟକ୍ତି କୌଣସି ବି ପରିସ୍ଥିତିରେ ଶରୀରରେ କରୋନା ଲକ୍ଷଣ ଦେଖା ଯାଉଥିଲେ ତାହାକୁ ଲୁଚାଇ ରଖନ୍ତୁ ନାହିଁ। ଲକ୍ଷଣ ଦେଖା ଯାଉଥିଲେ ତୁରନ୍ତ କୋଭିଡ ପରୀକ୍ଷା କରାନ୍ତୁ, ରିପୋର୍ଟ ପଜିଟଭ୍ ଆସିଲେ ଚିକିତ୍ସା କରାନ୍ତୁ। କରୋନା ଲଢ଼େଇ ସମସ୍ତଙ୍କ ଲଢ଼େଇ। ଆପଣମାନେ ବି କରୋନା ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା। ବାରମ୍ବାର ହାତ ଧୁଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ। ଘରୁ ବାହାରିଲେ ମାସ୍କ ଲଗାନ୍ତୁ। ଯଦି ବିନା ମାସ୍କରେ ବାହାରକୁ ବାହାରୁଛନ୍ତି, ତେବେ ଜାଣି ରଖନ୍ତୁ ଆପଣ ଆପଣଙ୍କ ପରିବାର ପାଇଁ ବିପଦକୁ ସାଥୀ କରି ଫେରୁଛନ୍ତି। ଜରୁରୀ ଥିଲେ ହେଁ ଘରୁ ବାହାରନ୍ତୁ। ଅନ୍ୟଥା ସବୁବେଳେ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଚଳିତ ମାସ ବି କରୋନା ମହାମାରୀ ପାଇଁ ଚ୍ୟାଲେଞ୍ଜିଂ ରହିଛି।
ଯେଉଁମାନେ ବିନା କାରଣରେ ବାହାରେ ବୁଲୁଛନ୍ତି ଅଯଥାରେ ଦୋକାନ, ରାସ୍ତାଘାଟ ଓ ଛାଇ ସ୍ଥାନମାନଙ୍କରେ ଗହଳି କରୁଛନ୍ତି ସେମାନଙ୍କ ପ୍ରତି ପ୍ରଶାସନ ଓ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହିତ ସମସ୍ତ ଦୋକାନୀଙ୍କୁ ପଞ୍ଚସୂତ୍ରର (ଡବଲ ବ୍ୟାରିକେଟିଂ, ମାସ୍କ ନାହିଁ ତ ଖାଦ୍ୟ ସମାଗ୍ରୀ ନାହିଁ, ବୋର୍ଡ, ନିଜେ ମାସ୍କ ପିନ୍ଧିବେ, ଦୋକାନ ସାମ୍ନାରେ ସର୍କଲ, ହାତ ଧୋଇବା ସୁବିଧା ରଖିବେ ଓ କଣ୍ଟାକ୍ଟ ଖାତା ରଖିବେ) ପାଳନ କରିବାକୁ ପରାମର୍ଶ ଦେଇଛୁ। ଏହି ପଞ୍ଚସୂତ୍ରର ପାଳନ କଲେ ନିଜେ ସୁରକ୍ଷିତ ରହିବା ସହିତ ଆପଣଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନେ ବି କରୋନା ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ। ଯଦି ଏହାର ଖିଲାପ କେହି ଦୋକାନୀ କରନ୍ତି ତେବେ ଉକ୍ତ ଦୋକାନକୁ ଏକମାସ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବା ସହିତ ଦୋକାନୀ ବିରୋଧରେ ମାମଲା ରୁଜୁ କରାଯିବ।
କରୋନା ଯୁଦ୍ଧରେ ସମସ୍ତେ ସହଯୋଗ କଲେ ନିଶ୍ଚୟ କରୋନା ହାରିବ ଓ ଆମେ ଜିତିବୁ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।