ଗଞ୍ଜାମ ଜିଲ୍ଲାରେ ମୃତ୍ୟୁହାର ଚିନ୍ତାଜନକ ସ୍ଥିତିରେ, ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୪

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣରେ କିଛି ମାତ୍ରାରେ ସୁଧାର ଆସିଥିବା ବେଳେ ହେଁ ମୃତ୍ୟୁହାର ଚିନ୍ତାଜନକ ସ୍ଥିତିରେ ରହିଛି। ଚଳିତମାସରେ ୫ଦିନ ମଧ୍ୟରେ ଜିଲ୍ଲାରେ ୨୨ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଗତ ୨୪ଘଣ୍ଟା ମଧ୍ୟରେ ଜଣେ ମହିଳାଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କିଡ୍‌ନିଜନିତ ଏବଂ ମଧୁମେହ ରୋଗରେ ପୀଡ଼ିତ ଜଣେ ୪୨ ବର୍ଷୀୟ ପୁରୁଷ  ଓ ଜଣେ ୬୩ ବର୍ଷୀୟ ବୃଦ୍ଧ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଜଣେ ୫୨ ବର୍ଷୀୟ ପୁରୁଷ, ୫୯ବର୍ଷୀୟ ପୁରୁଷ  ଏବଂ ୫୨ ବର୍ଷୀୟ ମହିଳା ଅଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଏଥିରୁ କୋଭିଡ୍‌ରେ ୧୧୭ଜଣ ଓ ଅଣକୋଭିଡ୍‌ରେ ୬ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଜିଲ୍ଲାରେ କରୋନାଜନିତ ସଂକ୍ରମଣରେ ବି ସୁଧାର ଆସୁଛି।  ବହୁ ଦିନ ପରେ ସଂଖ୍ୟା ହ୍ରାସ ପାଇ ଜିଲ୍ଲାରେ ଆଜି ୨୦୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ୧୫  ଜଣ, ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ୪ ଜଣ ଏବଂ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୧୮୨ ଜଣ ରହିଛନ୍ତି। ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ବେଗୁନିଆପଡ଼ା ଓ ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ,  ସୋରଡ଼ା, ହିଞ୍ଜିଳିକାଟୁ, ଛତ୍ରପୁର, ଭଞ୍ଜନଗର ଓ ବେଲଗୁଣ୍ଠାର ୨ଜଣ ଲେଖାଏଁ ଏବଂ ବ୍ରହ୍ମପୁର ମହାନଗରର ୩ ଜଣ ରହିଛନ୍ତି।

ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ବେଗୁନିଆପଡ଼ାର ୪ଜଣ  ରହିଛନ୍ତି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକାର ୩ ଜଣ, ବେଲଗୁଣ୍ଠାର ୬ଜଣ, ବ୍ରହ୍ମପୁର ମହାନଗରର ୬୪ଜଣ, ଭଞ୍ଜନଗରର ୮ଜଣ, ଛତ୍ରପୁର ଓ ଖଲ୍ଲିକୋଟର ୪ ଜଣ ଲେଖାଏଁ, ଚିକିଟିର ୧୦ଜଣ, ଧରାକୋଟ, ଶେରଗଡ଼ ଓ ପୋଲସରାର  ଜଣେ ଲେଖାଏଁ,  ହିଞ୍ଜିଳିକାଟୁର ୬ ଜଣ,  ଦିଗପହଣ୍ଡିର ୭ଜଣ ଓ କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର  ଓ ଜଗନ୍ନାଥପ୍ରସାଦର ୨ଜଣ ଲେଖାଏଁ, କୁକୁଡ଼ାଖଣ୍ଡିର ୧୦ଜଣ,  ପାତ୍ରପୁରର ୨୧ଜଣ, ରଙ୍ଗେଇଲୁଣ୍ଡାର ୯ଜଣ, ସାନଖେମୁଣ୍ଡିର ୧୨ଜଣ ଓ ସୋରଡ଼ାର ୯ଜଣ ରହିଛନ୍ତି।  ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଜିଲ୍ଲାରେ ସୁସ୍ଥହାର ୬୮.୮୮ ପ୍ରତିଶତ, ମୃତ୍ୟୁହାର ୦.୯୯ ପ୍ରତିଶତ ଏବଂ ସଂକ୍ରମିତହାର ୩୦.୧୩ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର