ବିବାହ ପୂର୍ବରୁ ଗୁଳି ଘଟଣା: ସୁପାରି କିଲର୍‌ ସମେତ ୨ ଗିରଫ, ଆହୁୂରି ୫ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ସମ୍ପତ୍ତି ଭାଗବଣ୍ଟା ବିବାଦରୁ ଗୁଳିମାଡ଼

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଜିତେନ୍ଦ୍ର ‌ବାରିକଙ୍କୁ ଗୁଳିମାଡ଼ ଘଟଣାର ଦୀର୍ଘ ୧୩ଦିନ ପରେ ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଦୁଇ ସଉତୁଣୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡି ଘଟିଥିଲା। ପ୍ରଥମ ପତ୍ନୀଙ୍କ ପୁଅ ଦିତୀୟ ପତ୍ନୀଙ୍କ ପୁଅ ଜିତେନ୍ଦ୍ର ବାରିକଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରି କିଲର୍‌ ନିୟୋଜିତ କରି ଏହି କାଣ୍ଡ ଘଟାଇଥିବା ପୁଲିସ କହିଛି। ଏଥିରେ ନିୟୋଜିତ ସୁପାରି କିଲର୍‌ ତୋଟାଗାଁର ସୀତାରାମ ସାହୁ ଓରଫ ବୁଡୁ(୨୪)କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅପରାଧରେ ଜଡ଼ିତ ଅନ୍ୟଜଣେ ୧୬ ବର୍ଷ ବୟସର ନାବଳକଙ୍କୁ ପୁଲିସ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ହୋମକୁ ପଠାଯାଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି। ଏହି ଗୁଳିକାଣ୍ଡ ଘଟଣାରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ଅନ୍ୟ ୫ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ଜିତେନ୍ଦ୍ରଙ୍କ ବାପାଙ୍କ ଦୁଇ ପତ୍ନୀ। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଜିତେନ୍ଦ୍ରଙ୍କ ନିଜ ଘର ବେଗୁନିଆପଡ଼ା ଅଞ୍ଚଳରେ। ଗତ ୨ତାରିଖରେ ଜିତେନ୍ଦ୍ର ବିବାହ କରିଥାନ୍ତେ। ଘରେ ଅଶାନ୍ତି ଲାଗି ରହିଥିବାରୁ ସେ ମାଉସୀ ଘର ମାଣିକପୁର ଆସି ସେଠାରେ ରହି ବିବାହ ଆୟୋଜନ କରିଥିଲେ। ସେଠାରୁ ଯାଇ ଖଲ୍ଲିକୋଟ ନିକଟସ୍ଥ ମନ୍ଦିରରେ ଚଳିତ ମାସ ୨ ତାରିଖରେ ବିବାହ ବେଦିରେ ବସିଥାନ୍ତେ। କିନ୍ତୁ ଗତ ୧ ତାରିଖ ରାତିରେ ମାଣିକପୁର ଗ୍ରାମରେ ଜିତେନ୍ଦ୍ର ବାରିକଙ୍କୁ ଗୁଳିମାଡ଼ ହୋଇଥିଲା। ବିବାହ ପୂର୍ବ ଦିନ ରାତି ଅର୍ଥାତ ଗତ ୧ତାରିଖ ରାତି ମାଣିକପୁରସ୍ଥିତ ମାଉସୀଙ୍କ ଘର ବାରଣ୍ଡାରେ ଜିତେନ୍ଦ୍ର ଛିଡ଼ା ହୋଇ ମୋବାଇଲରେ କଥା ହେଉଥିବା ବେଳେ ପଛ ପାର୍ଶ୍ବରୁ ଗୁଳିମାଡ଼ ହୋଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ୩୦୭,୩୨୪,୩୪ ଦଫା ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ୪୯୮/୨୦୨୦ ନମ୍ବର କେସ୍‌ ରୁଜୁ ହୋଇଥିଲା। ପୈତୃକ ସମ୍ପତ୍ତି ଭାଗବଣ୍ଟା ନେଇ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ସେହି ଆଧାରରେ ତଦନ୍ତ ଆଗକୁ ବଢିଥିଲା।

ସମ୍ବନ୍ଧିତ ଖବର