ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ, ମନ୍ତ୍ରୀ ଦୌଡ଼ରେ ନିରାଶଙ୍କୁ ଅଧ୍ୟକ୍ଷ ପଦରେ ଅଗ୍ରାଧିକାର!

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପରଠୁ ଏହି କମିଟି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିଲା। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀପଦ ମିଳିବା ପରେ ସେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବି ଖାଲି ରହିଛି। ବର୍ତ୍ତମାନ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କାହା ଭାଗ୍ୟରେ ଅଧ୍ୟକ୍ଷ ପଦ ଜୁଟିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ମନ୍ତ୍ରୀପଦ ଦୌଡ଼ରେ ଥିବା ଏବଂ ନିରାଶ ହୋଇଥିବା ବିଧାୟକଙ୍କୁ ଏହି ପଦ ପାଁଇ ଯୋଗ୍ୟ ବୋଲି ଆଲୋଚନା ହେଉଛି। ତେବେ, ମୁଖ୍ୟମନ୍ତ୍ରୀ ଯାହାର ନାଁରେ ମୋହର ମାରିବେ ସିଏ ହିଁ ଅଧ୍ୟକ୍ଷ ହେବେ ବୋଲି ସୂଚନା ମିଳିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୂତନ ଜନପ୍ରତିନିଧି ନିଜ ନିଜର ଦାୟିତ୍ବ ଗ୍ରହଣ କରି କାମ ଆରମ୍ଭ କରି ସାରିଲେଣି। ପ୍ରଶାସନ ନିକଟରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରି ତା’ର କିପରି ସମାଧାନ କରାଯିବ ସେ ଦିଗରେ ଜନପ୍ରତିନିଧି ଉଦ୍ୟମ ଜାରି ରଖିଛି। ସମସ୍ୟା ଉପସ୍ଥାପନ କରିବା କ୍ଷେତ୍ରରେ ଜିଲ୍ଲା ପରିଷଦ ବୈଠକ ଓ ଜିଲ୍ଲା ଯୋଜନା କମିଟି ବୈଠକ ଜନପ୍ରତିନିଧିଙ୍କ ପାଇଁ ପ୍ରକୃଷ୍ଟ ମାଧ୍ୟମ ବୋଲି କୁହାଯାଏ। ଠିକଣା ସମୟରେ ଜିଲ୍ଲା ପରିଷଦ ବୈଠକ ଆହ୍ବାନ କରାଯାଉଛି। ଜନପ୍ରତିନିଧି ବିଭିନ୍ନ ସମସ୍ୟା ଉପସ୍ଥାପନ କରି ତା’ର ସମାଧାନ ଦିଗରେ ଆଲୋଚନା କରୁଛନ୍ତି। କିନ୍ତୁ ଜିଲ୍ଲା ଯୋଜନା କମିଟି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ରୂପାୟନ, ପ୍ରଣୟନ ଦିଗରେ ଏହି କମିଟିର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ଜିଲ୍ଲାର ଜଣେ ବିଧାୟକ କମିଟିର ଅଧ୍ୟକ୍ଷ ରହିଥା’ନ୍ତି। ଏହା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୨୦ଜଣ ଜନପ୍ରତିନିଧି ସଦସ୍ୟ ରହିଥାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୦ଜଣଙ୍କ ମଧ୍ୟରୁ ୧୩ଜଣ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ ୧୨ଟି ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇ ୨୨ତାରିଖରେ ଭୋଟ୍‌ ଗଣତି ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପରେ ଅନ୍ୟ ୭ଜଣ ସଦସ୍ୟଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଜିଲ୍ଲା ଯୋଜନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଧ୍ୟକ୍ଷ ପଦବି ଉପରେ ସମସ୍ତଙ୍କ ନଜର ରହିଛି। ଜଣେ ବିଧାୟକ ହିଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ନାମ ଘୋଷଣା କରିଥା’ନ୍ତି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିବେ ବୋଲି ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସୂଚନା ଦେଇଛନ୍ତି।
ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରାଯାଇଛି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥତା କାରଣ ଯୋଗୁଁ ସକ୍ରିୟ ରାଜନୀତି ଠାରୁ ବର୍ତ୍ତମାନ ଦୂରେଇ ରହିଛନ୍ତି। ପୋଲସରା ବିଧାୟକ ଓ ଚିକିଟି ବିଧାୟିକା ମନ୍ତ୍ରୀପଦ ପାଇଛନ୍ତି। ତେବେ ଜିଲ୍ଲାରେ ଥିବା ଆଉ ୬ଜଣ ବିଜେଡି ବିଧାୟକ ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଏହି ୬ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ଆଗାମୀ ଦିନରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆସନରେ ବସିବେ। ଅଭିଜ୍ଞତା, ଯୋଗ୍ୟତା ଦୃଷ୍ଟିରୁ ଏବଂ ନିକଟ ଅତୀତରେ ମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥାଇ ନିରାଶ ହୋଇଥିବା କବିସୂର୍ଯ୍ୟନଗର ବିଧାୟିକା ଲତିକା ଆଗରେ ଥିବା ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର