ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ: ଜିଲ୍ଲାପାଳ, ଏସ୍.ପି.ଙ୍କ ସମେତ ୨୭୪୯ କରୋନା ଯୋଦ୍ଧା ନେଲେ ଟିକା

ଛତ୍ରପୁର : ଗତକାଲିଠୁ ଗଞ୍ଜାମ ଜିଲ୍ଲାରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ପୁଲିସ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପଞ୍ଚାୟତ ଜନପ୍ରତିନିଧିମାନେ ଟିକା ନେଇଥିଲେ। ଆଜି ପଞ୍ଜୀକୃତ ହୋଇଥିବା ୩୦୩୯ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍.ପି.ଙ୍କ ସମେତ ମୋଟ ୨୭୪୯ ଜଣ ଟିକା ନେଇଥିବା ସୂଚନା ମିଳିଛି।
ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍.ପି. ବ୍ରିଜେଶ୍ କୁମାର ରାଏ ପ୍ରଥମେ ଟିକା ନେଇ ଅନ୍ୟମାନଙ୍କ ମନୋବଳ ବଢ଼ାଇଥିଲେ। ‘ଏହା ସୁରକ୍ଷିତ। ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ’ ବୋଲି ଉଭୟ ଅଧିକାରୀ ଟ୍ବିଟ୍ କରି ଜଣାଇଛନ୍ତି।
ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଡେପୁଟି କଲେକ୍ଟର ଡ.ଦିବ୍ୟଲୋଚନ ମହନ୍ତ ଓ ଡ.ବିଜୟାନନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ସମେତ ପୁଲିସ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀ ଏବଂ ଅଧିକାରୀ ଓ ଜନପ୍ରତିନିଧି ମାନେ ଟିକା ନେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୩ ହଜାର ୪୩ ଜଣ କରୋନା ଯୋଦ୍ଧାଙ୍କ ନାମ ପଞ୍ଜୀକୃତ ହୋଇଥିଲା। ଆଜି ୩୦ଟି ଟିକାକରଣ କେନ୍ଦ୍ରରେ ମୋଟ ୨୭୪୯ ଜଣ ଟିକା ନେଇଥିବା ସୂଚନା ମିଳିଛି।
ସେହିପରି ଛତ୍ରପୁରରେ ୧୭୦୪ ଜଣ କରୋନା ଯୋଦ୍ଧା ଟିକା ନେବାକୁ ପଞ୍ଜୀକୃତ ହୋଇଛନ୍ତି। ଆଜି ପ୍ରଥମ ଦିନରେ ୧୩୦ଜଣଙ୍କ ଟିକାକରଣ ହୋଇଥିବା ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।


ଛତ୍ରପୁର ବ୍ଲକ୍ ପରିସରରେ ଟିକାକରଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ ପଟ୍ଟନାୟକ, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ତ ଡାକ୍ତରଖାନାର ଅଧୀକ୍ଷକ ଡା.ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଜ୍ଞାନେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ରୁପେଶ ପାଣିଗ୍ରାହୀ, ପବିତ୍ର କୁମାର ଶତପଥୀ, ଡା.ପୂର୍ଣ୍ଣଚନ୍ଦ୍ର ରାଓ, ଫାର୍ମାସିଷ୍ଟ ଦିଲ୍ଲୀପ କୁମାର ନାହାକ ଓ ଶିବାନୀ ସେନାପତି ବିଭିନ୍ନ ଦାୟିତ୍ବ ତୁଲାଇଥିଲେ। ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍ ସୀମାଞ୍ଚଳ ପ୍ରଧାନ ଓ ଜନସ୍ବାସ୍ଥ୍ୟ ସଂପ୍ରାସରଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସହଯୋଗ କରିଥିଲେ। ସେହିପରି ଆଜି ଜିଲ୍ଲାରେ ୧୯୨୮ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେବାକୁ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୯୬ ଜଣ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର