ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦୁଇ ମହିଳା ଗୁରୁତର

ସୋରଡ଼ା: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡ଼ା ସେକସନ୍ ଢଉପଲ୍ଲି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୋରଡ଼ା ଥାନା ଲାଠିପଡ଼ା ଗ୍ରାମ ଜେନାସାହିର ସୁକୁମାରୀ ବେହେରା(୫୮), ଆରଲୁ ମହାର୍ଥା(୬୦) ଏବଂ ଲକ୍ଷ୍ମୀ ବେହେରା ନିକଟସ୍ଥ ଢଉପଲ୍ଲୀ ଜଙ୍ଗଲ ନିକଟରେ ଥିବା କାଜୁ ବଗିଚାକୁ ପତ୍ର ସଫା କରିବା ପାଇଁ ଯାଇଥିଲେ। ଏହି ସମୟରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ପ୍ରଥମେ ସୁକୁମାରୀ ଲାଗିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ଆରାଲୁ ମଧ୍ୟ ବିଦ୍ୟୁତ୍ ତାରରେ ଲାଗିଯାଇଥିଲେ। ଏହା ଦେଖି ଲକ୍ଷ୍ମୀ ଦୌଡ଼ି ଆସି ଗ୍ରାମରେ ଖବର ଦେବା ପରେ ଗ୍ରାମର କିଛି ଯୁବକ ଦୌଡ଼ିଯାଇ ବିଦ୍ୟୁତ୍ ବିଚ୍ଛିନ୍ନ କରିବା ସହ ଆହତଦ୍ବୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୁକୁମାରୀଙ୍କ ଶରୀର ସାରା ପୋଡ଼ା ଚିହ୍ନ ହୋଇଥିବା ବେଳେ ତାଙ୍କ ଦୁଇ ଗୋଡ଼ ସହ ପିଠି ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅରାଲୁଙ୍କ ଡାହାଣ ହାତ ଏବଂ ଛାତିର ବହୁ ଅଂଶ ପୋଡ଼ିଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁକୁମାରୀ ଏବଂ ଅରାଲୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର