ଉପରମୁଣ୍ଡରେ ପ୍ରବଳ ବର୍ଷା: ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମର ୨ଟି ଗେଟ୍ ଖୋଲିଲା

ପାତ୍ରପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମର ୨ଟି ଗେଟ୍ ଖୋଲିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ପାଣିପାଗ ବିଭାଗ ତରଫରୁ ପ୍ରବଳ ବର୍ଷା ଆକଳନ ପରେ ପାତ୍ରପୁର ତହସିଲ ନୂଆଗଡ଼ ଠାରେ ଥିବା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବାହୁଦା ନଦୀ କୂଳରେ ଅବସ୍ଥିତ ଗ୍ରାମମାନଙ୍କୁ ସତର୍କ ସୂଚନା ଜାରି ହୋଇଥିଲା। ଲଘୁଚାପ ପାଇଁ ବାଘଲଟି ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ଏଥିପାଇଁ ଜଳଭଣ୍ଡାର ଜଳ ଭର୍ତ୍ତି ହୋଇପାରେ। ଜଳଭଣ୍ଡାରରେ ୧୦୬ ମିଟର ଜଳ ରହିବା ବ୍ୟବସ୍ଥା ଥିବା ବେଳେ ଏବେ ୧୦୩. ୫୮ ମିଟର ଜଳ ରହିଛି। ବର୍ଷା ହୋଇ ଜଳପତ୍ତନ ବୃଦ୍ଧି ଘଟି ୧୦୪ ମିଟରରେ ପହଞ୍ଚିଲେ ବଳକା ଜଳ ତଳକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଥିଲା। ଏଣୁ କୌଣସି ସମୟରେ ଉଚ୍ଚ ଅଧିକାରୀଙ୍କ ପରାମର୍ଶରେ ବର୍ଷା ପାଣି ନଦୀକୁ ଛଡ଼ାଯିବ ବୋଲି କୁହାଯାଇଥିଲା। ତେଣୁ ବାହୁଦା ନଦୀ କୂଳରେ ରହିଥିବା ସମସ୍ତ ଗ୍ରାମର ଲୋକମାନଙ୍କୁ ବାଘଲଟି ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା।
ଲୋକେ ଏଥିପ୍ରତି ସତର୍କ ରହିବା ସହ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ନଦୀ ଗର୍ଭକୁ ଛାଡ଼ିବେ ନାହିଁ କିମ୍ବା ସେମାନେ ନଦୀ ଗର୍ଭକୁ ବ୍ୟବହାର କରିବେ ନାହିଁ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଥିଲା। ଏନେଇ ସମସ୍ତ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

 

ସମ୍ବନ୍ଧିତ ଖବର