ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଭିଡିଓ ଭାଇରାଲ୍ ପରେ ୩ ଗିରଫ
ଦୁଷ୍କର୍ମ ସହ ଭିଡିଓ ରେକର୍ଡ଼ିଂ କରିଥିଲେ ୨ ନାବାଳକ, ବ୍ଲାକ୍ମେଲିଂ କରି ଦୁଷ୍କର୍ମ କରିଥିଲା ଯୁବକ
ଜଗନ୍ନାଥପ୍ରସାଦ : ଜଗନ୍ନାଥପ୍ରସାଦ ଥାନା ଇଲାକାରେ ଜଣେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହେବା ଏବଂ ପରେ ଏହାର ଭିଡିଓ ଭାଇରାଲ୍ ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଅଭିଯୁକ୍ତ ଶିବରାମ ପ୍ରଧାନ (୨୧) ନାମକ ଜଣେ ଯୁବକକୁ ଗିରଫ କରି ପୋକ୍ସୋ ଆଇନ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଦୁଇଜଣ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ସ୍ବଧାର ଗୃହକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ୧୨ ତାରିଖ ସକାଳ ପ୍ରାୟ ୮ଟାରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁଇଜଣ ନାବାଳକ ତାଙ୍କୁ କାଜୁ ବଗିଚାକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ଏହାସହ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। କିଛି ଦିନ ପରେ ଉକ୍ତ ଭିଡ଼ିଓକୁ ସେମାନେ ନେଇ ଶିବରାମକୁ ଦେଖାଇଥିଲେ। ଶିବରାମ ସେହି ଭିଡିଓ କ୍ଲିପିଂକୁ ପୁଣି ନାବାଳିକାଙ୍କୁ ନେଇ ଦେଖାଇବା ସହ ବ୍ଲାକ୍ମେଲିଂ କରିଥିଲା ଏବଂ ଭାଇରାଲ୍ କରିବା ଧମକ ଦେଇ ତାଙ୍କୁ ପୁଣି ଦୁଷ୍କର୍ମ କରିଥିଲା। ପରେ ଏହି ଯୁବକ ଜଣକ ଭିଡିଓକୁ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲା।
ଏ ନେଇ ନାବାଳିକାଙ୍କ ବାପା ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୯୫ ଅନୁସାରେ ମାମଲା ରୁଜୁ ହୋଇଥିଲା। ଗତକାଲି ରାତିରେ ପୁଲିସ ଚଢ଼ଉ କରି ଦୁଇ ନାବାଳକଙ୍କ ସମେତ ଅଭିଯୁକ୍ତ ଶିବରାମକୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନେ ଦୋଷ ସ୍ବୀକାର କରିବା ପରେ ମୋବାଇଲ୍ ଜବତ ହୋଇଥିଲା। ପୋକ୍ସୋ ଆଇନ୍ ଅନୁସାରେ ଦୁଇ ନାବାଳକଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ ସ୍ବଧାର ଗୃହ ପଠାଯାଇଥିବା ବେଳେ ଶିବରାମକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଆଗରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି।