ବ୍ରହ୍ମପୁରରେ ଚର୍ଚ୍ଚା : ସୁରତ ଫେରନ୍ତା ରୋଗୀଙ୍କ ସଂସ୍ପର୍ଶରେ ଆସି ବଡ଼ ଡାକ୍ତରଖାନାର ୪ ଡାକ୍ତର, ୮ ନର୍ସ କରୋନା ପଜିଟିଭ୍‌ !

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାର ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରି ଡାକ୍ତରଖାନାର ୪ଜଣ ଡାକ୍ତର ଏବଂ ୮ଜଣ ନର୍ସ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ବଡ଼ ଡାକ୍ତରଖାନାର କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃ‌ଷ୍ଟି ହୋଇଛି। ଏହି ୧୨ଜଣ କର୍ମଚାରୀଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ସୂତ୍ର ଅନୁସାରେ, ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ। ସମସ୍ତଙ୍କୁ ଏକ ସ୍ବତନ୍ତ୍ର ଗେଷ୍ଟ୍‌ହାଉସ୍‌ରେ ରଖି ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ଏ ଦିଗରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

image source–odisha news insight

ମିଳିଥିବା ଖବର ଅନୁସାରେ, ଗତ ୬ଦିନ ତଳେ ପେଟରେ ଯନ୍ତ୍ରଣା ହେବାରୁ ଜଣେ ବ୍ୟକ୍ତି ବଡ଼ ଡାକ୍ତରଖାନାକୁ ଆସିଥିଲେ। ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ ୨ମାସ ତଳେ ସୁରତରୁ ଫେରି ସଙ୍ଗରୋଧରେ ରହି ସାରିଥିବା ଡାକ୍ତରଖାନାରେ କହିଥିଲେ। ଫଳରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତର ଓ ନର୍ସମାନେ ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ରୋଗୀ ଜଣକ ଗୋଟିଏ ଦିନ ଡାକ୍ତରଖାନାରେ ରହି ଇଂଜେକ୍ସନ୍‌ ନେଇ ଡିସ୍‌ଚାର୍ଜ ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ି ନ ଥିଲା।

କିନ୍ତୁ ପରେ ସ୍ବାବ୍‌ ପରୀକ୍ଷା ପରେ ସେ ଜଣେ କରୋନା ପଜିଟିଭ୍‌ ରୋଗୀ ବୋଲି ଜଣାପଡ଼ିଥିଲା। ଏହା ଜାଣିବା ପରେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲେ। ଯେଉଁ ଡାକ୍ତର ଓ ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା। ତନ୍ମଧ୍ୟରୁ ଜଣେ ହାଉସ୍‌ ସର୍ଜନ୍‌, ୩ଜଣ ପିଜି ଡାକ୍ତର ଓ ୮ଜଣ ନର୍ସଙ୍କ ନମୁନା ପଜିଟିଭ୍‌ ଆସିଛି। କିନ୍ତୁ ସେମାନଙ୍କ ନିକଟରେ କରୋନାର କୌଣସି ପ୍ରକାର ଲକ୍ଷଣ ନାହିଁ। ବଡ଼ ଡାକ୍ତରଖାନା ତରଫରୁ ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର