ବ୍ରହ୍ମପୁର,: ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ବସ୍ର ରେଡ଼ିଏଟର୍ ଫାଟିଯିବାରୁ ସେଥିରୁ ଛିଟିକି ଥିବା ଗରମ ପାଣିରେ ୪ଜଣ ଆହତ ହୋଇଛନ୍ତି। ୪ଜଣ ଛାତ୍ରଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଛି। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ମିଳିଥିବା ସୂଚନା ଅନୁସାରେ ଲାଞ୍ଜିପଲ୍ଲୀ ବାଇପାସ୍ରେ ଥିବା ଅକ୍ସଫୋର୍ଡ ନାମକ ଏକ ଘରୋଇ ସ୍କୁଲର ମିନିବସ୍ ଆଜି ସକାଳେ ଛାତ୍ରମାନଙ୍କୁ ନେଇ ସ୍କୁଲକୁ ଯାଉଥିଲା। ବସ୍ଟି ଗୋଦାବରୀଶନଗର ଦେଇ ଯାଉଥିବା ବେଳେ ହଠାତ୍ ଗାଡ଼ିର ରେଡ଼ିଏଟର୍ ଫାଟି ଯାଇଥିଲା। ସେଥିରୁ ଗରମ ପାଣି ଛିଟିକି ପଡ଼ିଥିଲା। ଫଳରେ ଆଗରେ ବସିଥିବା ୪ଜଣ ଛାତ୍ର ଆହତ ହୋଇଥିଲେ। ଛାତ୍ରମାନଙ୍କ ହାତ ଓ ଗୋଡ଼ ଗରମ ପାଣିରେ ପୋଡ଼ି ଯାଇଛି। ଆହତ ଛାତ୍ରମାନେ ହେଲେ ପ୍ରଦୀପ ପଟ୍ଟନାୟକ, ଆୟୁଷ ପଟ୍ଟନାୟକ, ସାସ୍ବତ ପ୍ରସାଦ ପାଠୀ, ଫିଲିପ୍ସ ଭତ୍ରା। ସେମାନଙ୍କୁ ତୁରନ୍ତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଆହତ ଛାତ୍ରଙ୍କ ଅଭିଭାବକ ମେଡିକାଲରେ ପହଞ୍ଚିଥିଲେ। ବସ୍ଟି ଅତ୍ୟନ୍ତ ପୁରୁଣା ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି କିଛି ଅଭିଭାବକ ଅଭିଯୋଗ କରିଥିଲେ। ତୁରନ୍ତ ସ୍କୁଲ ବସ୍ ପରିବର୍ତ୍ତନ କରିବା ପାଇଁ ସେମାନେ ଦାବି କରିଥିଲେ।
ସ୍କୁଲ ବସ୍ ରେଡ଼ିଏଟର୍ ଫାଟି ୪ ଛାତ୍ର ଆହତ
/sambad/media/post_attachments/wp-content/uploads/2018/11/bam1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)