ବ୍ରହ୍ମପୁର : ଜଣେ ବ୍ୟବସାୟୀଙ୍କ ଏଜେଣ୍ଟଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଡକାୟତି ଘଟଣା ଉପରୁ ପର୍ଦ୍ଦା ହଟାଇଛି ବ୍ରହ୍ମପୁର ପୁଲିସ। ଏହି ଘଟଣାରେ ପୁଲିସ ମାଷ୍ଟର୍ମାଇଣ୍ଡ୍ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩୬ଲକ୍ଷ ୭୭ହଜାର ନଗଦ ସହ ଲୁଟ୍ ଟଙ୍କାରେ କିଣା ହୋଇଥିବା ଗହଣା ଓ ମୋବାଇଲ୍ ଜବତ ହୋଇଥିବା ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ଢ଼ିପୋସାହିର ସୁନୀଲ ବିଷୋୟୀ, ଶ୍ରୀରାମନଗରର ମୁନା ମହାରଣା, ଆସିକା ରୋଡ଼ର ପ୍ରତୀକ ଦଳାଇ ଏବଂ ଲୁଟ୍ ଟଙ୍କା ରଖିଥିବା ଦୁଇ ଅଭିଯୁକ୍ତ ପାଟପୁର ଥାନା କଙ୍କୋରଡ଼ାର ରାଜା ଚୌଧୁରୀ ଓରଫ୍ ଲକି ଓ ଭାବିନିପୁରର ନିରଂଜନ ଗୌଡ଼ ବୋଲି ପୁଲିସ କହିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର୍ ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍.ପି କହିଛନ୍ତି।
କୋଲକାତାର ବ୍ୟବସାୟୀ ଅଶୋକ କୁମାର ମୁନ୍ଦ୍ରା ବ୍ରହ୍ମପୁରର ବିଭିନ୍ନ ବ୍ୟବସାୟୀଙ୍କୁ ରେଡିମେଡ୍ ଗାର୍ମେଣ୍ଟ୍ସ ପଠାଇଥାନ୍ତି। ଏହା ବଦଳରେ ସେ ତାଙ୍କର ଏଜେଣ୍ଟ ଚକାଡୋଳା ମାଝୀଙ୍କ ଜରିଆରେ ବ୍ୟବସାୟୀଙ୍କଠାରୁ ବିଲ୍ ଅନୁସାରେ ଟଙ୍କା ଆଦାୟ କରିଥାନ୍ତି। ଗତ ୨୩ତାରିଖରେ ଏଜେଣ୍ଟ ଚକାଡୋଳା ଗାର୍ମେଣ୍ଟ୍ସର ବିଲ୍ ବାବଦରେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଆଦାୟ କରି ଏକ ବସ୍ରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ଅନ୍ୟଜଣେ ଏଜେଣ୍ଟକୁ ଭୁବନେଶ୍ବରରେ ସାକ୍ଷାତ କରି ଟଙ୍କା ଦେଇଥାନ୍ତେ। ହେଲେ ରାସ୍ତାରେ ବାଲୁଗାଁ ନିକଟରେ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟ୍ ହୋଇଥିଲା। ୫ଜଣ ଦୁର୍ବୃତ୍ତ ଚକାଡୋଳାଙ୍କୁ ବସ୍ରୁ ଓହ୍ଲାଇ ନିସ୍ତୁକ ମାଡ଼ ମାରିବା ସହ ଟଙ୍କା ଓ ତାଙ୍କର ମୋବାଇଲ୍ ନେଇ ଯାଇଥିଲେ। ଚକାଡୋଳା ଘଟଣା ପରଠାରୁ ଭୟଭୀତ ହୋଇ କୁଆଡ଼େ ଚାଲି ଯାଇଥିବା ବେଳେ ପରିବାର ବର୍ଗ ତାଙ୍କର ନିଖୋଜ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସେପଟେ ଟଙ୍କା ପାଇ ନଥିବା ବ୍ୟବସାୟୀ ଅଶୋକ ବ୍ରହ୍ମପୁର ଆସି ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ। ପ୍ରାୟ ୫୦ଲକ୍ଷ ଟଙ୍କା ସହିତ ତାଙ୍କର ଏଜେଣ୍ଟ ନିଖୋଜ ଥିବା କହିଥିଲେ। ଏଏସ୍ପି ପ୍ରଭାତ ରାଉତରାୟଙ୍କ ନେତୃତ୍ବରେ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ପ୍ରଥମେ ଚକାଡୋଳାଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ଜେରା କରିବା ପରେ ପୂରା ଘଟଣା ପର୍ଦ୍ଦାଫାସ୍ ହୋଇଥିଲା।
ଚକାଡୋଳାଙ୍କ ବୟାନ୍କୁ ଭିତ୍ତି କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାର ମାଷ୍ଟର୍ମାଇଣ୍ଡ୍ ସୁନୀଲ, ମୁନା ଓ ପ୍ରତିକକୁ ଗିରଫ କରିଥିଲା। ସେହିପରି ଲୁଟ୍ ଟଙ୍କା ରଖିଥିବା ଅଭିଯୋଗରେ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୩୬ଲକ୍ଷ ୭୭ହଜାର ଓ ଲୁଟ୍ ଟଙ୍କାରେ କିଣା ହୋଇଥିବା ୪୭ହଜାର ଟଙ୍କାର ଗହଣା, ୨୦ହଜାର ଟଙ୍କାର ନୂଆ ମୋବାଇଲ ଜବତ କରିଛି। ସେହିପରି ଲୁଟ୍ ଘଟଣାରେ ବ୍ୟବହୃତ ଏକ ବାଇକ୍, ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ ଜବତ ହୋଇଛି। ବଳକା ଟଙ୍କା ଫେରାର୍ ଅଭିଯୁକ୍ତଙ୍କ ପାଖରେ ରହିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/loot-ff.jpg)