ସୁଇଟ୍‌ ଲାଇଟ୍‌ ଢାବା ହତ୍ୟାକାଣ୍ଡ : ବିଜେଡି ଯୁବନେତା ସମେତ ୫ ଗିରଫ

ଦିଗପହଣ୍ଡି : ଗତ ୩ ତାରିଖରେ ପୁଞ୍ଜିକୟାଁ ଛକ ସୁଇଟ୍‌ଲାଇଟ୍‌ ଢାବାରେ କୁରେଶୁ ଗୌଡ଼ଙ୍କୁ ହତ୍ୟା ମାମଲାରେ ଦିଗପହଣ୍ଡି ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଖାରିଆଗୁଡ଼ାର ଉପେନ୍ଦ୍ର ଗୌଡ଼ ଓରଫ୍‌ ଉପେଇ, ବ୍ରଜସୁନ୍ଦର ଗୌଡ଼ ଓରଫ୍‌ ବାପି, ଦିଗପହଣ୍ଡିର ଦେବରାଜ ସେଠୀ, ବି.ଉଦିତ୍‌ ଦୋରା ଓରଫ୍‌ ଆଲୁ ଏବଂ ଯୁବ ବିଜେଡି ନେତା ତଥା ଠିକାଦାର ସଂଜୟ କୁମାର ପାଣିଗ୍ରାହୀ। ଗତକାଲି ଠେସା କାଳିଆକୁ ଏନ୍‌କାଉଣ୍ଟର୍‌ ବେଳେ ଉପେନ୍ଦ୍ର ଏବଂ ବ୍ରଜସୁନ୍ଦର ଫେରାର୍‌ ହୋଇଯାଇଥିଲେ। ଉଭୟଙ୍କୁ ଆଜି ଦେଖାଳି ଛକରୁ ଦିଗପହଣ୍ଡି ପୁଲିସ କାବୁ କରି ନେଇଥିଲା। ଠେସା କାଳିଆ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ବେଳେ ସଂଜୟ ଅପରାଧୀଙ୍କୁ ସହଯୋଗ କରୁଥିଲେ। ପୁଲିସ ହତ୍ୟାରେ ବ୍ୟବହୃତ ଗୋଟିଏ ଖଣ୍ଡା ଓ ଲୁହା ଏଙ୍ଗଲର୍‌ ଜବତ କରିଛି। ଏହି ଘଟଣାରେ ଅନ୍ୟ ତିନିଜଣ ବର୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି। ଦିଗପହଣ୍ଡି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିକିଟି ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ଜେନା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

ପୂର୍ବଶତ୍ରୁତାରୁ ହୋଇ ଠେସା କାଳିଆ ଏବଂ ତା’ର ସହଯୋଗୀ ମାନେ କୁରେଶୁଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପଞ୍ଚାୟତ ନିର୍ବାଚନ ପରେ କୁରେଶୁ ଏବଂ ଠେସା କାଳିଆ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ଅଗଷ୍ଟ ମାସରେ ଠେସା କାଳିଆକୁ ଖାରିଆଗୁଡ଼ାରେ କୁରେଶୁଙ୍କ ଗୋଷ୍ଠୀ ଆକ୍ରମଣ କରିବା ପରେ ସେ ପ୍ରତିଶୋଧପରାୟଣ ହୋଇ ଉଠିଥିଲା। ଗତ ତିନି ତାରିଖରେ କୁରେଶୁ ତାଙ୍କ ବନ୍ଧୁ ଅମିତ କୁମାର ପ୍ରଧାନ, ସଦା କୁଣ୍ଡ, ଆଉଲି ଗୌଡ଼ଙ୍କ ସହ ଠାକୁରାଣୀ ଯାତ୍ରା ଦେଖିବାକୁ ଦିଗପହଣ୍ଡି ଆସିଥିଲେ। ସୁଇଟ୍‌ଲାଇଟ୍‌ ଢାବାରେ ଖାଉଥିବା ବେଳେ ଠେସା କାଳିଆର ଗୋଷ୍ଠୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ। କିନ୍ତୁ ଏକ ବାଇକ୍‌ ଷ୍ଟାର୍ଟ ନହେବାରୁ ଛାଡ଼ି ପଳାଇଥିଲେ। ଫେରାର୍‌ ବେଳେ ଠିକାଦାର ସଂଜୟ ଏବଂ ଦେବରାଜ ଅପରାଧୀଙ୍କୁ ସହଯୋଗ କରିଥିଲେ। ଘଟଣାରେ ଠେସା କାଳିଆକୁ ମିଶାଇ ଗିରଫଦାରୀଙ୍କ ସଂଖ୍ୟା ୬ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର