ବ୍ରହ୍ମପୁରରୁ ଗଡ଼ୁନି ୫ ପାସେଞ୍ଜର୍‌ ଟ୍ରେନ୍‌, କୋଭିଡ୍‌ ସ୍ପେସାଲ୍‌ରେ ଯାଉଛନ୍ତି ଯାତ୍ରୀ

ଦୁଇଗୁଣା ଅଧିକ ଭଡ଼ା ନେଉଛି ରେଳ ବିଭାଗ

ବ୍ରହ୍ମପୁର : କରୋନା ସଂକ୍ରମଣ ହାର ଖସି ପରିସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ରେଳ ବିଭାଗ ଆଜି ବି ପାସେଞ୍ଜର ଟ୍ରେନ୍ ଚଳାଚଳକୁ ନିୟମିତ ନକରି ସ୍ପେସାଲ୍ ଟ୍ରେନ୍ ନାମରେ ଯାତ୍ରୀଙ୍କୁ ଚଢ଼ାଦରରେ ଟିକେଟ୍ ବିକ୍ରି କରିଚାଲିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସହ ରେଳ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଥିଲେ ହେଁ ଏ ଦିଗରେ ବିଭାଗ ନିରବ ରହିଛି।

ଦକ୍ଷିଣ ଓଡ଼ିଶାର ସର୍ବବୃହତ୍‌ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି। କରୋନା କଟକଣା ହଟିବା ପରେ ଧୀରେ ଧୀରେ ରେଳ ଷ୍ଟେସନ୍‌ରେ ଗହଳି ବଢ଼ୁଛି। ଟ୍ରେନ୍‌ ଚଳାଚଳ ମଧ୍ୟ ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଟିକଟ ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଆଜି ବି ରେଳ ବିଭାଗ ତରଫରୁ କୋଭିଡ୍‌ ସ୍ପେସାଲ୍‌ ନାଁରେ ଟ୍ରେନ୍‌ ଚଳାଚଳ କରାଯାଉଛି। ସେହି ଟ୍ରେନ୍‌ରେ କେବଳ ସଂରକ୍ଷିତ ଟିକଟ ବ୍ୟବସ୍ଥା କରାଯାଇଛି। ଏପରିକି ପାସେଞ୍ଜର୍‌ ଟ୍ରେନ୍‌ଗୁଡ଼ିକ ବାତିଲ କରି କୋଭିଡ୍‌ ସ୍ପେସାଲ୍‌ ‌ନାଁରେ ଚଳାଚଳ ହେଉଛି। ବ୍ରହ୍ମପୁର ଦେଇ ୫ଟି ପାସେଞ୍ଜର୍‌ ଟ୍ରେନ୍‌ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିଲା। ଏତେ ତାହା ବନ୍ଦ ରହିଛି। ମାତ୍ର ଦୁଇଟି ପାସେଞ୍ଜର୍‌ ଟ୍ରେନ୍‌ କୋଭିଡ୍‌ ସ୍ପେସାଲ୍‌ ନାଁରେ ଯାତାୟାତ କରୁଛି। ଏହାଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଦୈନିକ ୩ଟି ପାସେଞ୍ଜର୍‌ ଟ୍ରେନ୍‌ ଗଡ଼ୁଥିଲା। ସକାଳ ୫ଟା ୪୫ ମିନିଟ୍‌ରେ ବ୍ରହ୍ମପୁରରୁ ପଲାସା-କଟକ ଡିଏମ୍‌ୟୁ ଛାଡ଼ୁଥିବା ବେଳେ ସକାଳ ୭ଟାରେ ଇଚ୍ଛାପୁର-ଭୁବନେଶ୍ବର ମେମୁ ଓ ସକାଳ ୮ଟା ୨୦ ମିନିଟ୍‌ରେ ପଲାସା-ଭୁବନେଶ୍ବର ତୃତୀୟ ଡିଏମ୍‌ୟୁ ଛାଡ଼ୁଥିଲା। ସେପଟେ ଗୁଣପୁରରୁ ପୁରୀ ଅଭିମୁଖେ ଯାଉଥିବା ପାସେଞ୍ଜର୍‌ ଟ୍ରେନ୍‌ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ମଧ୍ୟାହ୍ନ ୧୨ଟା ୫ ମିନିଟ୍‌ରେ ଛାଡ଼ୁଥିଲା। ଏହି ଟ୍ରେନ୍‌ରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଓ କର୍ମଜୀବୀ ଯାତାୟାତ କରୁଥିଲେ। ବର୍ତ୍ତମାନ ଏହି ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌ ବାତିଲ କରିଦିଆଯାଇଛି। ଏବେ କେବଳ ପଲାସା-ଭୁବନେଶ୍ବର (ମେମୁ) କୋଭିଡ୍‌ ସ୍ପେସାଲ୍‌ ଏବଂ ଗୁଣପୁର-ପୁରୀ କୋଭିଡ୍‌ ସ୍ପେସାଲ୍‌ ଟ୍ରେନ୍‌ ଯାତାୟାତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ସକାଳ ୭ଟାରେ ମେମୁ ଛାଡ଼ୁଥିବା ବେଳେ ୯ଟା ୩୯ ମିନିଟ୍‌ରେ ଗୁଣପୁର-ପୁରୀ ଛାଡ଼ୁଛି। ଏହି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ହେଲେ ଯାତ୍ରୀଙ୍କୁ ଏକ୍ସପ୍ରେସ୍‌ ଟିକେଟ ଭଡ଼ା ଦେବାକୁ ପଡ଼ୁଛି। କରୋନା ପୂର୍ବରୁ ପାସେଞ୍ଜର ‌ଟ୍ରେନ୍‌ରେ ଭୁବନେଶ୍ବର ଯିବା ପାଇଁ ମାତ୍ର ୪୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ସକାଳ ୭ଟାରେ ବ୍ରହ୍ମପୁରରୁ ଛାଡ଼ୁଥିବା କୋଭିଡ୍‌ ସ୍ପେସାଲ୍‌ ଟ୍ରେନ୍‌ରେ ୮୫ ଟଙ୍କା ଦେବାକୁ ପଡ଼ୁଛି। ଯାହାକି ଦୁଇଗୁଣରୁ ଅଧିକ।

ଏଣୁ ବ୍ରହ୍ମପୁର ଦେଇ ସମସ୍ତ ପାସେଞ୍ଜର୍‌ ଓ ମେମୁ ଟ୍ରେନ୍‌ ଚାଳଚଳ କରିବା ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସହିତ ସଂସ୍କାରବାଦୀ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି। ପୂର୍ବରୁ ଯେ ଭଳି ବ୍ରହ୍ମପୁର ଦେଇ ପାସେଞ୍ଜର୍‌ ଟ୍ରେନ୍‌ ଚାଳଚଳ କରୁଥିଲା ତାହା ଆରମ୍ଭ କରିବା ସହିତ ଆଗଭଳି ଭଡ଼ା ଧାର୍ଯ୍ୟ କରିବାକୁ ସଂସ୍କାରବାଦୀ ଅନୁଷ୍ଠାନର ସଭାପତି ତ୍ରିନାଥ ମହାରଣା ଦାବି କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ସ୍ଥିତିରେ ସୁଧାର ଆସିଛି। ରେଳ ବିଭାଗ ତରଫରୁ ଅଧିକାଂଶ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏଣୁ ବ୍ରହ୍ମପୁର ଦେଇ ସମସ୍ତ ପାସେଞ୍ଜର୍‌‌ ଟ୍ରେନ୍‌ଗୁଡ଼ିକ ପୂର୍ବଭଳି ଚଳାଚଳ କରାଯାଉ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା ଦାବି କରିଛନ୍ତି। କରୋନା ଯୋଗୁଁ ସରକାର ରିହାତି ଦେବା ବଦଳରେ ଦୁଇଗଣ ମୂଲ୍ୟ ଆଦାୟ କରୁଛନ୍ତି। ଏହା ତୁରନ୍ତ ବନ୍ଦ କରି ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ରିହାତି ଦିଆଯାଉ ବୋଲି ଶ୍ରୀ ଗୟା ଦାବି କରିଛନ୍ତି।

ସେହିପରି ସକାଳ ୭ଟା ବେଳେ ବ୍ରହ୍ମପୁରରୁ ବିଶାଖାପାଟଣା ଅଭିମୁଖେ ଏକ ‌ଡିଏମ୍‌ୟୁ ଟ୍ରେନ୍‌ ଯାଉଥିଲା। କରୋନା ପାଇଁ ଗତବର୍ଷ ଠାରୁ ଏହି ଟ୍ରେନ୍‌କୁ ବନ୍ଦ କରାଯାଇଛି। ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ପାସେଞ୍ଜର୍‌ ଟ୍ରେନ୍‌ରେ ହଜାର ହଜାର ଯାତ୍ରୀ ଯିବା ଆସିବା କରୁଥିଲେ। କର୍ମଜୀବୀ ଓ ସରକାରୀ ଚାକିରିଆ ଏମ୍‌ଏସ୍‌ଟି କରି ଯାଉଥିଲେ। ବର୍ତ୍ତମାନ ଏମ୍ଏସ୍‌ଟି ବନ୍ଦ କରି ଦିଆଯାଇଛି। ଏଣୁ ଲୋକେ ଏକ୍ସପ୍ରେସ୍‌ ଭଡ଼ା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ଏହା ଦ୍ବାରା ଅଯଥାରେ ଯାତ୍ରୀ ଖର୍ଚ୍ଚାନ୍ତ ହେଉଛନ୍ତି। ବ୍ରହ୍ମପୁର ଦେଇ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର