୭ ବର୍ଷ ଶିଶୁ ଅପହରଣ ପରେ ହତ୍ୟା!

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ହତ୍ୟା ଘଟରାକୁ ନେଇ ଆଲୋଡ଼ନ ଖେଳିଯାଇଛି। ଗୋସାଇଁ ନୂଆଗାଁ ଥାନା ଇଲାକା ସଦାନନ୍ଦ ବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅପହୃତ ଶିଶୁକୁ ହତ୍ୟା କରା ଯାଇଥିବା ଖବର ଆଜି ରାତିରେ ବିଜୁଳି ବେଗରେ ପ୍ରଚାର ହୋଇଛି। ଯାହା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗୋସାଇଁ ନୂଆଗାଁ ସଦାନନ୍ଦ ବିହାରରେ ରହୁଥିବା ଶିଶୁଟି ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢ଼େ। ଗତ ୧୨ ତାରିଖରେ ‌ସେ ସ୍କୁଲ ଯାଇଥିଲା। କିନ୍ତୁ ସ୍କୁଲ ଛୁଟି ପରେ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ଶିଶୁର କୌଣସି ସୂଚନା ମିଳି ନଥିଲା। ପରିବାର ବର୍ଗ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲେ। ହେଲେ ସେଠାରୁ ମଧ୍ୟ ସେମିତି କିଛି ଖାସ୍ ସୂଚନା ପାଇ ନଥିଲେ। ୧୩ ତାରିଖରେ ମଧ୍ୟ ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଶିଶୁକୁ ଖୋଜାଖୋଜି କରିବା ସହିତ ସମ୍ପର୍କୀୟଙ୍କୁ ପଚାରିଥିଲେ। କିନ୍ତୁ ଶିଶୁର କୌଣସି ଖୋଜ ଖବର ମିଳି ନଥିଲା। ଦୀର୍ଘ ୪୮ଘଣ୍ଟା ଧରି ଶିଶୁ ନିଖୋଜ ରହିବା ପରେ ବାଧ୍ୟ ହୋଇ ପରିବାର ବର୍ଗ ଗୋସାଇଁ ନୂଆଗାଁ ଥାନାରେ ରିପୋର୍ଟ କରିଥିଲେ। ଏହି ଅପହରଣ ପାଇଁ ଜଣେ ସମ୍ପର୍କୀୟ ଦାୟୀ ବୋଲି ପରିବାର ବର୍ଗ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଶିଶୁର ଫଟୋ ବିଭିନ୍ନ ଥାନାକୁ ପ୍ରେରଣ କରା ଯାଇଥିଲା।

ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଶିଶୁର ସ୍କୁଲ ୟୁନିଫର୍ମ ଏବଂ ପରିଚୟ ପତ୍ର ଜବତ ହୋଇଥିବା ସୂଚନା ମିଳିଛି। ଫଳରେ ଶିଶୁକୁ ହତ୍ୟା କରା ଯାଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। କିନ୍ତୁ ପୁଲିସ ଆଜି ରାତି ସୁଦ୍ଧା କିଛି ସ୍ପଷ୍ଟ କରୁ ନାହିଁ। ରାତିରେ ଏଏସ୍‌ପି ଶାନ୍ତନୁ ଦାଶ, ଏଏସ୍‌ପି ପ୍ରଭାତ ରାଉତରାୟ ଗୋସାଇଁ ନୂଆଗାଁ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର