ପରିଣତ ବୟସରେ ପତ୍ନୀଙ୍କୁ ହରାଇଲେ, କିନ୍ତୁ କରୋନାକୁ ଜିତିଲେ ଗଞ୍ଜାମର ଆଦିନାରାୟଣ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ଏସବୁ ମଧ୍ୟରେ ଆସିଛି ଏକ ଖୁସି ଖବର। ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ୮୦ ବର୍ଷିଅ ଆଦିନାରାୟଣ ଜେନା କରୋନାକୁ ହରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି। କିନ୍ତୁ ଦୁଃଖଦ ଘଟଣା ହେଉଛି  କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଦିଙ୍କ ସ୍ତ୍ରୀ କୁନ୍ତଳା ଜେନା (୭୨) ରବିବାର ଆଖିବୁଜି ଦେଇଛନ୍ତି। ପତ୍ନୀ କରୋନା ଲଢେଇରେ ହାରି ଯାଇଥିବା ବେଳେ ସ୍ବାମୀ ବିଜୟୀ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ପଞ୍ଚାୟତ ଅଧିନସ୍ଥ ଗୋଳନ୍ଥରା ଗାଁର  ଆଦି ନାରାୟଣ ଜେନା(୮୦), ତାଙ୍କ ସ୍ତ୍ରୀ କୁନ୍ତଳା ଜେନା ଓ ନିଜର ପୁଅ ସହ ରହି ଆସୁଥିଲେ। ଗତ ଜୁଲାଇ ୨୯ ତାରିଖରେ କୁନ୍ତଳାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ କୁନ୍ତଳାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ଥିଲା। ଏହା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଦି ନାରାୟଣଙ୍କ ମଧ୍ୟ ଗତ ଅଗଷ୍ଟ ୧ ତାରିଖରେ ସ୍ବାବ ନମୁନା ପରୀକ୍ଷା ନିମନ୍ତେ ଦେଇଥିଲେ। ୩ ତାରିଖରେ କୁନ୍ତଳାଙ୍କ ସ୍ବାବ୍‌ ନମୁନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବଡ଼ ମେଡ଼ିକାଲରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ  କରାଯାଇଥିଲା। ଗତ ୪ ତାରିଖରେ ଆଦି ନାରାୟଣଙ୍କ ନମୁନା ମଧ୍ୟ ପଜିଟିଭ ଚିହ୍ନଟ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ପାରଳା ମହାରାଜା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ରବିବାର ସକାଳ ୮ଟା ବେଳେ ଚିକିତ୍ସିତ ଅବସ୍ଥାରେ କୁନ୍ତଳାଙ୍କ  ମୃତ୍ୟୁ ଘଟିଥିଲା। ଅପରାହ୍ନରେ ପରିବାର ବର୍ଗଙ୍କ ଉପସ୍ଥିତିରେ ନୀଳକଣ୍ଠେଶ୍ବର ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

କିନ୍ତୁ ଏହି ଘଟଣା ନେଇ ପରିବାର ପକ୍ଷରୁ ଆଦିନାରାୟଣଙ୍କୁ ଅବଗତ କରାଯାଇ ନ ଥିଲା। ୭ଦିନ ପରେ ସୋମବାର ଆଦିନାରାୟଣ  ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ  କୋଭିଡ କେୟାର ସେଣ୍ଟରରୁ ଡିସଚାର୍ଜ କରାଯାଇଛି।ଏହା ସହ ପ୍ରଶାସନ ପକ୍ଷରୁ ଏହି ଅବସରରେ ତାଙ୍କୁ ‘କୋଭିଡ ହିରୋ’ ଭାବେ ସମ୍ମାନରେ ସମ୍ନାନିତ କରି  ଘରକୁ ଛଡାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର