ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପିତାତଳି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ଜଣ ଆହତ ହୋଇଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବ୍ରହ୍ମପୁର ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ତରଫରୁ ଥାନାରେ ଏତଲା ଦିଆଯାଇଛି।
ପିତାତଳି ସରପଞ୍ଚ ରାଙ୍ଗା ରାଓ ଏବଂ ଚିକିଟି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ନରସିଂହ ମୂର୍ତ୍ତିଙ୍କ ଗୋଷ୍ଠୀ ମଧ୍ୟରେ କୌଣସି ଏକ କଥାକୁ ନେଇ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର ଲୋକ ଆହତ ହୋଇଥିଲେ। ଏ ନେଇ ରାଙ୍ଗା ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦେଇ ଫେରୁଥିବା ବେଳେ ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ନରସିଂହ ଗୋଷ୍ଠୀର ସଦସ୍ୟଙ୍କ ସହିତ ଗାଁରେ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଫଳରେ ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା।
ଏହି ଘଟଣାରେ ରାଙ୍ଗା ଗୋଷ୍ଠୀର ଏ. ପାପା ରାଓ, ଟି. ଇରାସ୍ବାମୀ ଓ ଏ. ରାଜୁ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମହିଳା ଏସ୍. ସୁନିତା ଓ ଏସ୍. ତେଜା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛିl ସେହିପରି ନରସିଂହ ଗୋଷ୍ଠୀର ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ଗୋଳନ୍ଥରା ଥାନା ତରଫରୁ ଗାଁରେ ପୁଲିସ ମୁତୟନ କରାଯାଇଛି। ରାଜନୈତିକ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି।