ଚିକିଟି/ବ୍ରହ୍ମପୁର: କାର୍ଯ୍ୟରତ ଥିବା ସମୟରେ ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀ (ପିଇଓ)ଙ୍କ ନାଁରେ ଏପରି ସଂଗିନ ଅଭିଯୋଗ ଆସିଛି। ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଅଭିଯୁକ୍ତ ପିଇଓ ବିଷପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତ ୩ ତାରିଖରେ ଗଂଜାମ ଜିଲ୍ଲା ସୁନାପୁର ବେଳାଭୁମି ମହୋତ୍ସବ ଉଦ୍ଘାଟନ ଉତ୍ସବ ଥିଲା। ଏହି ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ। ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଉଚ୍ଚ ଅଧିକାରୀ ଓ ଥାନାରେ ଏନେଇ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ପୀଡ଼ିତା ଅଭିଯୋଗ କରିବା ପରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସମୟର ଭିଡିଓ ଫୁଟେଜ୍ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି।
ଅନ୍ୟପଟେ ଥାନାରୁ ଡାକରା ପାଇ ପିଇଓ ଜଣକ ବିଷପିଇ ଦେଇଛନ୍ତି। ପରିବାର ତରଫରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ସେ ଆଇସିୟୁରେ ଅଛନ୍ତି। ୩ ଜଣିଆ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ସ୍ବାମୀ ଅପମାନ ପାଇ ବିଷ ପିଇଥିବା ପିଇଓଙ୍କ ପତ୍ନୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କୁ ଫୋନ୍ ଯୋଗେ ଏ ନେଇ ଯୋଗାଯୋଗ କରାଯିବା ବେଳେ ଘଟଣା ସମ୍ପୂର୍ଣ୍ଣ ସତ୍ୟ ଓ ଏ ସମ୍ପର୍କରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ‘ସମ୍ବାଦ’କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/chikiti-2026-02-06-20-24-07.jpg)