ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା-ଅସୁରାବନ୍ଧ ରାସ୍ତା ଭାଲିଆପଡ଼ା ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବାର ସୂଚନା ରହିଛି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ ଓ ଭାଗିରଥି ମୁଳି। ଆହତ ଯୁବକ ପ୍ରତାପଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁରର ଏମକେସିଜିରେ ଭର୍ତ୍ତି କରାଯାଇଥିଲା।
ସୂଚନା ମୁତାବକ, ଗତକାଲି ରାତିରେ ଭାଗିରଥି ଓ ପ୍ରତାପ କାମ ସାରି ବାଇକ୍ ଯୋଗେ ସୋରଡ଼ାରୁ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ପଟୁ ଦାରିଙ୍ଗବାଡିରୁ କାମ ସାରି ପିଲି ଓ ବୁଲୁ ନିଜ ଗାଁ ରାଧାକୃଷ୍ଣପୁରକୁ ଫେରୁଥିବା ବେଳେ ଭାଲିଆପଡ଼ା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସୋରଡ଼ା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବାର ଜଣାଯାଇଛି।

ସମ୍ବନ୍ଧିତ ଖବର