ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା: ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବିୟର ବୋଝେଇ ଟ୍ରକ ହଠାତ ନାରାୟଣୀ ଛକ ନିକଟରେ ଏକ ମାଇନ୍ସ ଟ୍ରକ ପଛକୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଏକ ୧୦୮ ଆମ୍ବୁଲାନ୍ସ କୁ ଧକ୍କା ଦେଇଥିଲା। ଯାହାଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ଆମ୍ବୁଲାନ୍ସ ଚାଳକଜଣଙ୍କ ବ୍ରହ୍ମପୁରର ସୁରଜ କୁମାର ସାହୁ ବୋଲି ଜଣା ପଡ଼ିଛି ।ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।

ସେପଟେ ମାଇନ୍ସ ଟ୍ରକଟି ଆଗରେ ଥିବା ଏକ ଆଳୁ ବୋଝେଇ ଟ୍ରକ ପଛକୁ ଧକ୍କା ଦେଇଥିଲା। ତେବେ ଉକ୍ତ ସିରିଜ ଦୁର୍ଘଟଣାରେ ବିୟର ବୋଝେଇ ଟ୍ରକ ଚାଳକ, ମାଇନ୍ସ ଟ୍ରକ ଚାଳକ ଓ ହେଲପର, ଆଳୁ ବୋଝେଇ ଟ୍ରକ ଚାଳକ ଓ ହେଲପର ଏବଂ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ସହଯୋଗୀ ସୁସ୍ଥ ଥିବା ବେଳେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ପୁଲିସ ଟିମ ସହ ହାଇୱେ ପେଟ୍ରୋଲିଂ ପୁଲିସ ଏସ ଆଇ ସୀମାଞ୍ଚଳ ସାହୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର