ପାତ୍ରପୁର/ବ୍ରହ୍ମପୁର : ଜନ୍ମକଲା ଝିଅକୁ ଦୁଷ୍କର୍ମ କରିଥିବା ସଇତାନ ବାପାକୁ ଆଜି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତା ଝିଅ ମା’ର ହେପାଜତକୁ ଫେରିଯାଇଛି। ଏହାପୂର୍ବରୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଉଭୟ ବାପା ଓ ଝିଅର ଡାକ୍ତରୀ ମାଇନା କରାଯାଇଥିଲା। ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଧାରା ୧୬୪ ଅନୁସାରେ ଝିଅର ବୟାନ ରେକର୍ଡ କରାଯାଇଥିଲା। ଗୋଟିଏ ପଟେ ଆଇନଗତ ଦୃଷ୍ଟିକୋଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲାବେଳେ ଅନ୍ୟପଟେ ଏହିଭଳି ଅମାନବୀୟ ଘଟଣା ଜନମାନସକୁ ସ୍ତବ୍ଧ କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଲକ୍ ଅଞ୍ଚଳରେ ଘଟିଥିବା ଏହି ଘଟଣା ଗତକାଲି ପଦାକୁ ଆସିଥିଲା। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବାପା ଗତ ୫ ବର୍ଷ ଧରି ଝିଅ (ବୟସ ୧୫ ବର୍ଷ)କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର କରି ଆସୁଥିଲା। ଏବଂ, ୧୦ ଦିନ ତଳେ ଝିଅକୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକାର ଅଭିଯୋଗକୁ ଭିତ୍ତି କରି ଜରଡ଼ା ଥାନାରେ ୩୭୬(ଏବି), ୩୭୬(୨), ୫୦୬ ଆଇପିସି ଓ ପକ୍ସୋ ଆଇନର ଧାରା ୬ ଅନୁସାରେ କେସ୍ ନଂ ୨୦/୧୮ ରୁଜୁ ହୋଇଛି। ଆଜି ସଇତାନ ବାପାକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ, ଘଟଣା ସମ୍ପର୍କରେ ମା’ କିଭଳି ଜାଣି ପାରିଲାନି, ତାହାକୁ ନେଇ ସାଧରଣରେ ପ୍ରଶ୍ନ ଉଠିଛି।