ଗଞ୍ଜାମ ଜିଲ୍ଲାରେ ୯୨୯ ଗର୍ଭବତୀ ଏଚ୍‌ଆଇଭି ପଜିଟିଭ୍: ‌ଜନ୍ମରୁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଶିଶୁ, ୨୦୨୦ ଅକ୍ଟୋବର ସୁଦ୍ଧା ୩୦ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ତା’ର କାୟା ବିସ୍ତାର କରିଛି। ଓଡ଼ିଶାରେ ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଣୁ ଏହିି ରୋଗର ନାଁ ଶୁଣିବା ମାତ୍ରେ ଭୟ ଲାଗେ। ଏଚ୍ଆଇଭି ସଂକ୍ରମିତ ଯଦି ଠିକ୍ ସମୟରେ ଚିକିତ୍ସା ନକରନ୍ତି ତେବେ ସେ ମରଣମୁହଁକୁ ଠେଲି ହେବା ସ୍ବାଭାବିକ। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏହି ରୋଗ ଅଧିକ ମାତ୍ରାରେ ବ୍ୟାପୁଥିବା ରେକର୍ଡ କହୁଛି। ଏହି ରୋଗରେ ଆକ୍ରାନ୍ତ ହେବା ପରେ ଯେଉଁ ସ୍ବାମୀ, ସ୍ତ୍ରୀ ପିଲା ଜନ୍ମ କରିବାକୁ ଚାହୁଁଛନ୍ତି ସେମାନଙ୍କ ଅଜାଣତରେ ମା’ ଗର୍ଭରେ ବଢୁଥିବା ଶିଶୁ ଏଚ୍ଆଇଭି ସଂକ୍ରମିତ ହୋଇଥାଏ। ଶିଶୁଟି ଏଚ୍ଆଇଭି ସଂକ୍ରମିତ ହୋଇ ଜନ୍ମ ନେବା କ୍ଷଣି ମୃତ୍ୟୁ ସହିତ ଲଢ଼ିବା ଆରମ୍ଭ କରିଥାଏ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୯୨୯ଜଣ ଏଚ୍‌ଆଇଭି ଗର୍ଭବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ଜଣ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଚଳିତ ଅକ୍ଟୋବର ମାସ ସୁଦ୍ଧମ ଜିଲ୍ଲାରେ ମୋଟ ୧୬ହଜାର ୫୧୫ ଏଡ୍‌ସ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ୨୦୨୦ରେ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲାରେ ମୋଟ ୩୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ବ୍ୟାପିବାର ଅନ୍ୟତମ କାରଣ ହେଉଛନ୍ତି ଦାଦନ ସମସ୍ୟା। ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ସେମାନେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରି ଏଚ୍ଆଇଭିରେ ଆକ୍ରାନ୍ତ ହେଉଛନ୍ତି। ବିଭିନ୍ନ ସମୟରେ ସେମାନେ ଘରକୁ ଫେରୁଛନ୍ତି। ରୋଗ ସମ୍ପର୍କରେ ଜାଣିପାରୁ ନଥିବାରୁ ଠିକ୍ ସମୟରେ ଚିକିତ୍ସା କରୁ ନାହାନ୍ତି। ବାହା ‌ହୋଇ ସେମାନେ ପାରିବାରିକ ଜୀବନ ଆରମ୍ଭ କରୁଛନ୍ତି। ଅଜାଣତରେ ସେମାନଙ୍କ ପତ୍ନୀ ମଧ୍ୟ ଏଚ୍ଆଇଭିରେ ଆକ୍ରାନ୍ତ ହେଉଛନ୍ତି। ଗର୍ଭରେ ଶିଶୁ ରହିବା ପରେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। କିନ୍ତୁ ଏବେ ଏହାର ଚିକିତ୍ସା ସମ୍ଭବ। ଏଚ୍ଆଇଭି ଆକ୍ରାନ୍ତ ମା’ର ଗର୍ଭରେ ଥିବା ଶିଶୁକୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଔଷଧର ବ୍ୟବସ୍ଥା ରହିଛି। ଏଚ୍ଆଇଭି ସଂକ୍ରମିତ ମା’ ଯଦି ପ୍ରସବର ୬ମାସ ପୂର୍ବରୁ ନିୟମିତ ଔଷଧ ସେବନ କରିଥିବେ ତେବେ ଶିଶୁକୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାସନାଲ ଏଡ୍‌ସ କଣ୍ଟ୍ରୋଲ ସୋସାଇଟି(ନାକୋ) ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ତରଫରୁ ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ଏ ସବୁ ସୁବିଧା ସତ୍ବେ ଚଳିତ ବର୍ଷ ୩୦ଜଣ ଏଚ୍ଆଇଭି ଗର୍ଭବତୀ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଏଣୁ ଏ ଦିଗରେ ଆହୁରି ସଚେତନତା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଚଳିତବର୍ଷ କରୋନା ଯୋଗୁ ବହୁ ରୋଗୀ ଔଷଧ ପାଇ‌ବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି କଟକଣା ପାଇଁ ଠିକଣା ସମୟରେ ଡାକ୍ତରଖାନାକୁ ମଧ୍ୟ ଆସିପାରି ନାହାନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେଇ ଏଡ୍‌ସ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ବିଶେଷଜ୍ଞଙ୍କ ମହଲରେ ମତ ପ୍ରକାଶ ପାଇଛି।

 

୪ବର୍ଷରେ ଚିହ୍ନଟ ହୋଇଥିବା ଗର୍ଭବତୀଙ୍କ ସଂଖ୍ୟା:

ବର୍ଷ                   ପରୀକ୍ଷା             ପଜିଟିଭ୍

୨୦୧୬             ୫୩୦୩୫         ୫୧

୨୦୧୭             ୭୨୦୨୮         ୪୭

୨୦୧୮             ୫୩୭୫୯          ୨୮

୨୦୧୯             ୫୧୬୪୬          ୩୮

୨୦୨୦(ଅକ୍ଟୋବର) ୩୩୬୩୬       ୩୦

ସମ୍ବନ୍ଧିତ ଖବର