କାମରେ ଲାଗିଲାନି ସ୍ବାସ୍ଥ୍ୟବୀମା କାର୍ଡ, ଫେରାଇ ଦେଲା ଏମ୍ସ : ଲକ୍ଷେ ଟଙ୍କା ପାଇଁ ଜୀବନ ଯୁଦ୍ଧ ଲଢ଼ୁଛନ୍ତି ସାରଥି

ବୁଗୁଡ଼ା (ଅନିଲ ପଟ୍ଟନାୟକ): କାମରେ ଲାଗିଲା ନାହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସ୍ବାସ୍ଥ୍ୟବୀମା କାର୍ଡ। ଲକ୍ଷେ ଟଙ୍କା ଧରିକି ଆସିଲେ ଅସ୍ତ୍ରୋପଚାର ହେବ ବୋଲି କହି ଭୁବନେଶ୍ବରର ଏମ୍‌ସ ଡାକ୍ତରଖାନା କର୍ତ୍ତୃପକ୍ଷ ଫେରାଇଦେଲେ। ଫଳରେ ଲକ୍ଷେ ଟଙ୍କା ଯୋଗାଡ଼ କରି ନପାରି ରୋଗଶଯ୍ୟାରେ ପଡ଼ି ଜୀବନ ସହ ଲଢ଼ୁଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ମାଣିତରା ଗ୍ରାମ ବାସିନ୍ଦା ସାରଥି ରାଉତ। ଦିନଟିଏ ବିତିଲେ ବର୍ଷେ ଭଳି ଲାଗୁଛି। ମୁରବିଙ୍କ ଏଭଳି ଅବସ୍ଥା ଯୋଗୁଁ ସମ୍ପୂର୍ଣ୍ଣ ପରିବାର ବେସାହାରା ପାଲଟିଛନ୍ତି।

ମାଣିତରା ଗ୍ରାମର ସୁଦର୍ଶନ ରାଉତଙ୍କ ୩ ପୁଅଙ୍କ ମଧ୍ୟରେ ବଡ଼ ହେଉଛନ୍ତି ସାରଥି। ଅନ୍ୟ ଦୁଇ ପୁଅ ଦାଦନ ଖଟିବାକୁ ସୁରତ ପଳାଇଥିବା ବେଳେ ବୁଢ଼ା ବାପା ସୁଦର୍ଶନ ଓ ମା’ ସାରଥିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ସେପଟେ ସାରଥିଙ୍କ ନିଜ ପରିବାର କହିଲେ ପତ୍ନୀ ସବିତା ଓ ତାଙ୍କର ଦୁଇ ପୁଅ ଦୀପକ ଏବଂ ମନୋଜ। ବଡ଼ପୁଅ ଦୀପକ ଯୁକ୍ତ ଦୁଇ ଓ ମନୋଜ ନବମ ଶ୍ରେଣୀରେ ପଢ଼ୁଛି। ସାରଥି ମୂଲ କାମ କରି କଷ୍ଟେମଷ୍ଟେ ପରିବାରକୁ ଚଳାଉଥିଲେ। ୩ ବର୍ଷ ତଳେ ହଠାତ୍ ତାଙ୍କର ଗୋଡ଼ ଓ ହାତ ଥରିବା ଆରମ୍ଭ ହୋଇଥିଲା। ବ୍ରହ୍ମପୁରରେ ସମସ୍ତ ନମୁନା ପରୀକ୍ଷା ପରେ ତାଙ୍କର ୨ଟି ଶିରା ଖରାପ ଥିବା ଡାକ୍ତର କହିଥିଲେ।

ଏହାପରେ ସାରଥି ଭୁବନେଶ୍ବରସ୍ଥିତ ଏମ୍‌ସକୁ ଯାଇ ଡାକ୍ତରଙ୍କୁ ଦେଖାଇବା ସହ ପରାମର୍ଶ କ୍ରମେ ୭ ମାସ ପାଇଁ ଔଷଧ ଖାଇଥିଲେ। ତଥାପି ସେ ସୁସ୍ଥ ହୋଇ ପାରିଲେନି। ପୁଣି ଧାରକରଜ କରି ‌ବେଙ୍ଗାଲୁରୁର ଏକ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ଆଉ ଥରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର ଏମ୍‌ସକୁ ଆସିଥିଲେ। ସେତେବେଳେ ସାରଥିଙ୍କୁ ପୁଣି ଆଉ ଏକ ରୋଗ ମାଡ଼ିବସିଲା। ବିଭିନ୍ନ ପ୍ରକାର ଔଷଧ ଖାଇଥିବାରୁ ତାଙ୍କ ଅନ୍ତନଳୀ ସଂକ୍ରମିତ ହୋଇ ମଇଳା ଜମି ଯାଇଥିଲା। ଅସ୍ତ୍ରୋପଚାର କରି ଏହାକୁ ବାହାର କରାଗଲା। କିନ୍ତୁ ବେକର ୨ଟି ଶିରା ଅସ୍ତ୍ରୋପଚାର ପାଇଁ ଏକ ଲକ୍ଷ ଟଙ୍କା ଦରକାର ବୋଲି ଏମ୍‌ସ କର୍ତ୍ତୃପକ୍ଷ କହିଥିଲେ। ସାରଥି ଏଥିପାଇଁ ସ୍ବାସ୍ଥ୍ୟବୀମା କାର୍ଡ଼ ଦେଖାଇଥିଲେ। କିନ୍ତୁ ଏହି ଚିକିତ୍ସା ପାଇଁ ବାହାରର ସହାୟତା ନିଆଯିବ। ଏହି କାର୍ଡ଼ କାମରେ ଲାଗିବନି ବୋଲି କହି କର୍ତ୍ତୃପକ୍ଷ ତାଙ୍କୁ ଫେରାଇଦେଲେ।

ଏହା ଶୁଣି ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। କାରଣ ଚିକିତ୍ସା ପାଇଁ ପୂର୍ବରୁ ଲକ୍ଷାଧିକ ଟଙ୍କା ସାରି ସେ ସର୍ବସ୍ବାନ୍ତ ହୋଇ ସାରିଥିଲେ। ୫ ପ୍ରାଣୀଙ୍କ ତୁଣ୍ଡରେ ଆହାର ଦେବାକୁ ପାଖରେ ଟଙ୍କାଟିଏ ନଥିବା ବେଳେ ଲକ୍ଷେ ଟଙ୍କା କେଉଁଠୁ ଆସିବ, ଏହାକୁ ନେଇ ଚିନ୍ତାରେ ପଡ଼ିଥିଲେ। ବର୍ତ୍ତମାନ ସାରଥି ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଛନ୍ତି। ଓଳିଏ ଖାଇଲେ ଓଳିଏ ଉପବାସ। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ସେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାକୁ ଅନାଇ ବସିଛନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦତ୍ତ‌ ହ୍ବାଟସ୍‌ଆପ୍ ନମ୍ବରକୁ ବାର୍ତ୍ତା ପଠାଇ ଗୁହାରି କରିଛନ୍ତି। ‌ସବୁ କାଗଜପତ୍ର ଯୋଗାଡ଼ କରିବାକୁ ଜବାବ୍ ମିଳିବା ପରେ ଏଥିପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ପ୍ରଶାସନ ସାରଥିଙ୍କ ଦୁଃଖ କେବେ ଶୁଣୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର