ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ଆକ୍ରମଣରେ ବାପପୁଅ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ରେଞ୍ଜର ଚନ୍ଦ୍ରଗିରି ଜଙ୍ଗଲ ଭିତରେ ଏକ ଦନ୍ତା ହାତୀ ଆକ୍ରମଣରେ ବାପ ପୁଅ ଗୁରୁତର ଆହତ ହୋଇଛନ୍ତି। ଆହତ ବାପପୁଅ ହେଲେ ଦଲକ ଗ୍ରାମର ସୁରେନ୍ଦ୍ର ରାଉତ(୫୦) ଓ ତାଙ୍କ ପୁଅ ଶୁଭମ ରାଉତ (୧୪)।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଉଭୟ ବାପ ପୁଅ ଜାଳେଣି କାଠ ସଂଗ୍ରହ କରୁଥିବା ସମୟରେ ତିନି ଛକିଆରେ ଥିବା ପୁରୁଣା ମହାବିଦ୍ୟାଳୟ ଠାରୁ କିଛି ଦୂରରେ ଏକା ବୁଲୁଥିବା ଦନ୍ତା ହାତୀ ସହ ସାମ୍ନା ସାମ୍ନି ହୋଇଥିଲେ। ହାତୀକୁ ଦେଖି ଉଭୟ ଦୌଡ଼ି ପଳାଇବା ସମୟରେ ସୁରେନ୍ଦ୍ରଙ୍କ ଗୋଡ଼କୁ ହାତୀ ଚକୁଟି ଦେବା ସହ ପୁଅ ଶୁଭମକୁ ଶୁଣ୍ଢରେ ଫିଙ୍ଗି ଦେଇଥିଲା। ସେଠାରୁ କିଛି ଦୂର ବିଲରେ କାମ କରୁଥିବା ଲୋକେ ଉଭୟଙ୍କ ପାଟି ଶୁଣି ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସୁରେନ୍ଦ୍ରଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
ଖବର ପାଇ ତାରସିଂ ରେଞ୍ଜର ଆଶାଲତା ଦିଗାଲ, ଫରେଷ୍ଟର ଦିଲୀପ କୁମାର ପ୍ରଧାନ, କୃଷ୍ଣ ନାହାକ ପ୍ରମୁଖ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହା ସହ ସରକାରୀ ନିୟମ ପ୍ରକାରରେ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

ସମ୍ବନ୍ଧିତ ଖବର