ଗାଳିଗୁଲଜରୁ ବିବାଦକୁ ନେଇ ବର୍ବରୋଚିତ ଆକ୍ରମଣ; ପୁଅକୁ ବ୍ୟାଟରେ ପିଟିଲେ, ମା’କୁ ଖଣ୍ଡାରେ ହାଣିଲେ

ବ୍ରହ୍ମପୁର: ସାମାନ୍ୟ ବାଇକ୍ ପାର୍କିଂକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସିସିଟିଭିରେ ଏହି ଘଟଣା କଏଦ ହୋଇଛି। ଜଣେ ଯୁବକଙ୍କୁ ତଳେ ପକାଇ ୪/୫ ଜଣ ଯୁବକ ସଂଘବଦ୍ଧ ଭାବେ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରିବା ଦେଖିବାକୁ ମିଳିଛି। ଉକ୍ତ ଯୁବକଙ୍କୁ  କ୍ରିକେଟ ବ୍ୟାଟରେ ପିଟି ଚାଲିଛନ୍ତି ଆକ୍ରମଣକାରୀ ଯୁବକ । ଏଥିସହ ଯୁବକଙ୍କୁ ଆକ୍ରମଣକାରୀଙ୍କ କବଳରୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ତାଙ୍କ ମା’ଙ୍କୁ ମଧ୍ୟ ଆକ୍ରମଣକାରୀ ଖଣ୍ଡାରେ ହାଣି ଦେଇଥିବା ଦେଖାଯାଉଛି।

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଂଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଜୁଆଲରେ ଦେଖାଯାଉଛି ଜଣେ ମଣିଷ କିଭଳି ନୃଶଂସ ହୋଇପାରେ। ଏପରିକି ଯୁବକଙ୍କ ମା’ଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଆକ୍ରମଣକାରୀ। ଏହି ଘଟଣାରେ ପାଖରେ ଥିବା ଲୋକମାନ‌େ ଏଭଳି ଭୟଭୀତ ହୋଇଯାଇଥିଲେ କି ସେମାନେ  ପିଟୁଥିବା ଯୁବକଙ୍କୁ ଅଟକାଇ ନ ଥିଲେ ।

ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଏଥିରେ ମରଣାନ୍ତକ ଆକ୍ରମଣର ଶିକାର ଯୁବକ ଓ ତାଙ୍କ ମା ଗୁରୁତର ଆହତ ହୋଇଥିଲେ । ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ସ୍ଥାନୀୟ କଲ୍ୟାଣମଣ୍ଡପରେ ଏକ ଭୋଜି ଚାଲିଥିବାବେଳେ ପ୍ରଥମେ ବାଇକ ରଖିଥିଲେ ସୁନୀଲ ମହାରଣା । ଏହି ସମୟରେ ରାଜା ନାମକ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହାର ଜବାବରେ ସୁନୀଲ ଓ ତାଙ୍କ ସାଙ୍ଗମାନେ ମିଶି ରାଜାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏହି ମାମଲାରେ ପୁଲିସ ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର