ଆସିକା: ଆସିକା ଥାନା ଜୟପୁର ଗ୍ରାମର ବାବୁଲା ପାତ୍ର (୩୮)ଙ୍କୁ ନିର୍ମମ ହତ୍ୟା ଓ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେବା ମାମଲାରେ ପୁଲିସକୁ ସଫଳତା ମିଳିଛି। ପୁଲିସ ଅଭିଯୁକ୍ତ ବାପା ବନମାଳି ପାତ୍ର ସହ ହତ୍ୟାକାଣ୍ଡରେ ସଂପୃକ୍ତ ତାରା ପ୍ରସାଦ ଦାସ (୧୯) ଓ ପ୍ରତାପ ପାତ୍ର (୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରତାପ ହେଉଛି ସନ୍ତୋଷର ସଂପର୍କୀୟ ଭାଇ ଏବଂ ତାରା ହେଉଛି ଡ୍ରାଇଭର। ତେବେ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ୍ ତଥା ମୃତକ ବାବୁଲାଙ୍କ ସାନଭାଇ ସନ୍ତୋଷ ଫେରାର୍ ଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି । ବଡ଼ ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ସାନପୁଅ ମିଶି ହତ୍ୟା କରିଥିବା କଥା ବାପା ବନମାଳି ସ୍ୱୀକାର କରିଛନ୍ତି।
ଜୟପୁର ଗ୍ରାମର ବନମାଳି ପାତ୍ରଙ୍କ ପରିବାର କହିଲେ ଦୁଇ ପୁଅ ବାବୁଲା ଓ ସନ୍ତୋଷ, ଝିଅ ବିଷ୍ଣୁପ୍ରିୟା, ପତ୍ନୀ ଅହଲ୍ୟା। ଉଚ୍ଚ ବିଦ୍ୟାଳୟରୁ ପିଅନ ଭାବେ ବନମାଳି ଅବସର ନେଇ ଥିଲେ। ତେବେ ସଂପତ୍ତି ପାଇଁ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବଡ଼ପୁଅ ବାବୁଲା ମଦ ପିଇ ଗ୍ରାମରେ ଗଣ୍ଡଗୋଳ କରିବା ସହ ବାପା, ମା’ ଓ ପତ୍ନୀକୁ ମାର୍ପିଟ୍ କରୁଥିଲେ। ବାବୁଲାଙ୍କ ଏଭଳି ବ୍ୟବହାରରେ ସମସ୍ତେ ଅତିଷ୍ଠ ହୋଇ ଯାଇଥିଲେ। ପତ୍ନୀ ଭାଗ୍ୟଲତା ବାପ ଘରକୁ ପଳାଇଥିବା ବେଳେ ମା’ ଝିଅ ଘରକୁ ଯାଇ ରହୁଥିଲେ। ସେପଟେ ସାନଭାଇ ସନ୍ତୋଷ ପତ୍ନୀ ହତ୍ୟା ମାମଲାରେ ଜେଲ୍ରେ ଥିବା ବେଳେ ଗାଁ ଘରେ ଥିବା ବନମାଳିଙ୍କ ଉପରେ ବାବୁଲାଙ୍କ ଅତ୍ୟାଚାର ବଢି ଚାଲିଥିଲା।
ଗତ ୨୦ ତାରିଖରେ ସନ୍ତୋଷ ଜେଲ୍ରୁ ମୁକୁଳିବା ପରେ ବାପା ବନମାଳି ସହ ମିଶି ବାବୁଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଏଥିରେ ସନ୍ତୋଷର ଡ୍ରାଇଭର ତାରା ପ୍ରସାଦ ଦାଶ ସହଯୋଗ କରିଥିଲେ। ସେଦିନ ରାତିରେ ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଗତ ୨୧ ତାରିଖରେ ଭୋର୍ରେ ନିଶାସକ୍ତ ଅବସ୍ଥାରେ ବାବୁଲା ଶୋଇଥିବା ବେଳେ ତାରା ଆସି ସେଠାରେ ପହଞ୍ଚିଥିବା ବେଳେ ବନମାଳି ଓ ସନ୍ତୋଷ ପ୍ରସ୍ତୁତ ହୋଇଥିଲେ। ସନ୍ତୋଷ ଏବଂ ତାରା ବାବୁଲାଙ୍କୁ ହାତଗୋଡ଼ ବାନ୍ଧିବା ପରେ ମୁହଁକୁ ତକିଆ ଦ୍ୱାରା ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପୁରା ଦିନ ଶବ ଘରେ ପଡ଼ି ରହିଥିଲା।
ଗତ ୨୨ ତାରିଖରେ କରତ ଦ୍ୱାରା ଶବକୁ କାଟିବାକୁ ପ୍ରସ୍ତୁତ ଆରମ୍ଭ ହୋଇଥିଲା। କାଟିବା ବେଳେ ଶଦ୍ଦ ହେବା ଆଶଙ୍କାରେ ଟିଭି ସାଉଣ୍ଡକୁ ବଢାଇବାକୁ ବ୍ୟାଟେରି କିିଣିବାକୁ ସନ୍ତୋଷ ତା’ର ସଂପର୍କୀୟ ଭାଇ ପ୍ରତାପକୁ ଅନୁରୋଧ କରିଥିଲା। ପ୍ରତାପ ବ୍ୟାଟେରି ଆଣି ଘରେ ପହଞ୍ଚିବା ବେଳକୁ ବାବୁଲଙ୍କ ଖଣ୍ଡବିଖଣ୍ଡିତ ଶବ ଦେଖି ଚକିତ ହୋଇଯାଇଥିଲା। ଆଉ ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସନ୍ତୋଷ ତାକୁ ଧମକଚମକ ଦେଇ ଶବ କାଟିବା କାମରେ ସାହାଯ୍ୟ କରିବାକୁ କହିଥିଲା। ଶବକୁ ୧୦ ଖଣ୍ଡ କରି କଟାଯିବା ପରେ ଏକ ଡ୍ରମ୍ରେ ରଖାଯାଇଥିଲା। ରାତିରେ ସନ୍ତୋଷ ଓ ତାରା ମିଶି ଖଣ୍ଡବିଖଣ୍ଡିତ ଶରୀରକୁ ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ। ଆଉ ରକ୍ତଭିଜା ଶେଯ ଏବଂ ତକିଆକୁ ନେଇ ଗାଁ ଶେଷ ପାହାଡ଼ରେ ପୋତିବା ସହ କରତକୁ ବେଲ ବନ୍ଧରେ ପକାଇ ଦେଇଥିଲେ। ଗତ ୨୬ ତାରିଖରେ ବାବୁଲାଙ୍କ ଖଣ୍ଡବିଖଣ୍ଡିତ ଶବକୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ ଏହି ଘଟଣାରେ ବାପା ବନମାଳିଙ୍କ ସମେତ ତାରା ଓ ପ୍ରତାପକୁ କୋର୍ଟ ଚାଲାଣ କରିବା ସହ କରତ ଏବଂ ପିଢାକୁ ଜବତ କରିଛି।
ବାବୁଲା ପାତ୍ର ହତ୍ୟା ମାମଲା: ବାପା ସମେତ ତିନି ଗିରଫ
‘ପୁଅର ବ୍ୟବହାରରେ ଅତିଷ୍ଠ ଥିଲି’ମାଷ୍ଟରମାଇଣ୍ଡ ସାନଭାଇ ଫେରାର୍:କରତ, ପିଢ଼ା ଜବତ

Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)