ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଲାଗୁ ହୋଇଥିବା ୫ଦିନିଆ ସଟ୍ଡାଉନ୍ ସମାପ୍ତ ହୋଇଛି। ଆସନ୍ତା କାଲିଠାରୁ ମହାନଗରରେ ନୂତନ କଟକଣା ଲାଗୁ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ସହରର ସୀମାକୁ ସିଲ୍ କରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଟାଉନ୍ ହଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସହରର ପ୍ରବେଶପଥରେ ପୁଲିସ ଜଗି ରହିବ। ବିଭିନ୍ନ ସ୍ଥାନରେ ୧୧ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ୪ଜଣ ଡିଏସ୍ପି ତଦାରଖ ଦାୟିତ୍ବରେ ରହିବେ। ଆସନ୍ତା କାଲିଠାରୁ ପୁଲିସ ଆହୁରି କଠୋର ହେବ। ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା କରୁ ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକସ୍ଥଳେ ଅମାନିଆଙ୍କ ଗାଡ଼ି ଜବତ କରାଯିବ ବୋଲି ଏସ୍.ପି. ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ୧୬ତାରିଖ ଯାଏଁ ସଟ୍ଡାଉନ୍ କୋହଳ କରାଯାଇଛି। ଅପରାହ୍ଣ ୪ଟା ଯାଏ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ପାରିବେ। ଏହାପରେ ପୁଣି ସଟ୍ଡାଉନ୍ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଏଣୁ ଏଣିକି ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ। କ୍ଷୀର, ଔଷଧ ଓ କୃଷି ସମ୍ପର୍କିତ ଦୋକାନ ବ୍ୟତୀତ ଅନ୍ୟ ଅଣଅତ୍ୟାବଶ୍ୟକ ଦୋକାନ ବଜାର ବନ୍ଦ ରହିବ। ବ୍ରହ୍ମପୁର ମହାନଗରକୁ ସିଲ୍ କରି ସମସ୍ତ ପ୍ରବେଶପଥ ବନ୍ଦ କରାଯିବ ବୋଲି ବିଏମ୍ସି କମିସନର୍ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସହର ବାହାରକୁ ଯାଇ ପାରିବେ ନାହିଁ କି ଆସି ପାରିବେ ନାହିଁ। କୋଭିଡ୍ ଡ୍ୟୁଟି ଓ ସ୍ବାସ୍ଥ୍ୟସେବା ପାଇଁ ଯିବା ଆସିବା କରୁଥିବା ଲୋକଙ୍କୁ କେବଳ ଛଡ଼ାଯିବ। ଏଥିପାଇଁ ସେମାନଙ୍କୁ ପରିଚୟପତ୍ର ଏବଂ ରୋଗୀଙ୍କୁ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଦେଖାଇବାକୁ ପଡ଼ିବ ବୋଲି ଏସ୍.ପି. କହିଛନ୍ତି। ଯେଉଁମାନେ ସହରରୁ ବାହାରକୁ ଯିବା ପାଇଁ ଚାହୁଁଛନ୍ତି ସେମାନେ ଡାଏଲ୍-୧୦୦କୁ ଫୋନ୍ କରି ସହାୟତା ନେଇପାରିବେ। ଜରୁରି କାମ ଥିଲେ ତାଙ୍କର ମୋବାଇଲ୍କୁ ଏକ ମେସେଜ୍ ପଠାଯିବ। ସେହି ମେସେଜ୍ ପାସ୍ ଭଳି କାମ କରିବ। ସେହିପରି ଜିଲ୍ଲା ବାହାରକୁ ଯିବାକୁ ଚାହୁଁଥିବା ବ୍ୟକ୍ତି ଜିଲ୍ଲା ପ୍ରଶାସନ(ଏସ୍ଡିଏମ୍)ଙ୍କ ନିକଟରେ ପାସ୍ ପାଇଁ ଆବେଦନ କରି ପାରିବେ ବୋଲି ଏସ୍.ପି. କହିଛନ୍ତି। ସହରକୁ ପରିବା ବିକ୍ରି କରିବା ପାଇଁ ଆସୁଥିବା ବ୍ୟବସାୟୀଙ୍କୁ ପ୍ରତିଦିନ ସ୍କ୍ରିନିଂ କରି ଭିତରକୁ ଛଡ଼ାଯିବ।
ବିଏମ୍ସି ତରଫରୁ ଦୋକାନ ଖୋଲିବା ପାଇଁ ନୂତନ ଗାଇଡ୍ଲାଇନ୍
ଆସନ୍ତା କାଲିଠାରୁ ବଡ଼ବଜାରର ୧୦ଟି ସାହକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡ଼ି ଯାତାୟାତ ପାଇଁ ଅନୁମତି ଦିଆଯିବ। ସେଗୁଡ଼ିକ ହେଲା ରାଜାସାହି, କେଉଁଟ ସାହି, ବାଚୁବାରୀସାହି, ଜେନାସାହି, ପନ୍ଦରାସାହି, ଶଙ୍କରପୁର ସାହି(ଉଭୟ), ଦେଶୀବେହେରା ସାହି, ନଡ଼ିଆ ଗୋର୍ଜି, ଗୁଡ଼ ଗୋର୍ଜି। ଆଳୁ, ପିଆଜ ଓ କଦଳୀ ହେଲସେଲ୍ ବ୍ୟବସାୟୀ ଦିନ ୧୦ଟା ପର୍ଯ୍ୟନ୍ତ ବ୍ୟବସାୟ କରି ପାରିବେ। ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ବିଭିନ୍ନ ଗ୍ରୋସରି ହୋଲ୍ସେଲ୍ ଦୋକାନ ଖୋଲା ରହିବ। ସକାଳ ୫ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଔଷଧ(ହୋଲ୍ସେଲ୍) ଦୋକାନ ଖୋଲା ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ୫ଟି ଭେଣ୍ଡିଂଜୋନ୍ ବନ୍ଦ କରାଯିବ। ସେଗୁଡ଼ିକ ହେଲା ଏମ୍କେସିଜି ମେଡିକାଲ ଛକ, କମାପଲ୍ଲୀ, ଗେଟବଜାର, ହରିଡ଼ାଖଣ୍ଡି ଓ ଗିରି ମାର୍କେଟ। ସହରରେ ମନଇଚ୍ଛା ମାଛ, ମାଂସ ବିକ୍ରି କରି ପାରିବେ ନାହିଁ। କେବଳ ସ୍ଥାୟୀ ଦୋକାନରେ ବିକ୍ରି କରି ପାରିବେ ବୋଲି ବିଏମ୍ସି ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ସକାଳ ୫ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନ, ମିସ୍ତ୍ରି, ବଢ଼େଇ ଦୋକାନ ଖୋଲା ରହିବ। ସେହିପରି ଇଲେକ୍ଟ୍ରୋନିସକ୍ସ ସାମଗ୍ରୀ ଯଥା ଟିଭି, ଫ୍ରିଜ୍, ମୋବାଇଲ୍ ଦୋକାନ ବନ୍ଦ ରହିବ। ଗୃହ ନିର୍ମାଣ ସାମଗ୍ରୀ ଦୋକାନ, ପରିବା, ଫଳ, ଗ୍ରୋସରି, କୃଷି ସାମଗ୍ରୀ ଖୋଲା ରହିବ ଏବଂ ହୋଟେଲଗୁଡ଼ିକ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭେରି ବ୍ୟବସ୍ଥା ପାଇଁ ଅନୁମତି ଦିଆଯାଇଛି ।